Pratinidhi Odia

ଓଡ଼ିଶା ପାଇଁ କୃଷି ନା ଶିଳ୍ପ : କେଉଁଟି ଆଗ

ବିଗତ ଯୋଜନାଗୁଡ଼ିକରେ ଜନବିକାଶ ସାଧନ ଆଭିମୁଖ୍ୟରେ ସ୍ପଷ୍ଟତା ନାହିଁ

ଓଡ଼ିଶାର ବିକାଶ ପାଇଁ କୃଷି ନା ଶିଳ୍ପ, କେଉଁ କ୍ଷେତ୍ରକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ ସେ ନେଇ ସ୍ପଷ୍ଟତା ନାହିଁ। ବିଗତ ତଥା ଚଳିତ ବର୍ଷମାନଙ୍କରେ ସରକାରୀ ଯୋଜନାଗୁଡ଼ିକରୁ ଏହାର ନିଚ୍ଛକ ପ୍ରମାଣ ମିଳେ। ସମୟ ସମୟରେ ରାଜନେତା ତଥା ନୀତି ନିର୍ଦ୍ଧାରକମାନେ କୃଷି କ୍ଷେତ୍ରକୁ ଯଥେଷ୍ଟ ଗୁରୁତ୍ବ ଦିଆଯାଉଛି ବୋଲି କହିଥାଆନ୍ତି । ଆଉ କେବେକେବେ ମଧ୍ୟ ଶିଳ୍ପକୁ ପ୍ରାଥମିକତା ଦିଆଯାଉ ନାହିଁ ବୋଲି ମଧ୍ୟ କହିଥାନ୍ତି।

ରାଜ୍ୟ ବଜେଟ୍‌ ତଥା ଅନ୍ୟାନ୍ୟ ନୀତିରେ କୃଷିକୁ ପ୍ରାଥମିକତା ଦେଉଥିବାର ଛଳନା କରାଯାଇଥିଲେ ମଧ୍ୟ ପ୍ରକୃତ ପକ୍ଷେ କୃଷିକ୍ଷେତ୍ରରେ ସେଭଳି କିଛି ଉନ୍ନତି ହୋଇ ନାହିଁ କିମ୍ବା କୃଷକମାନଙ୍କର ଆର୍ଥିକ ମାନଦଣ୍ଡର ବୃଦ୍ଧି ମଧ୍ୟ ଘଟି ନାହିଁ।

ଓଡ଼ିଶାରେ କୃଷି କ୍ଷେତ୍ରର ସ୍ଥିତି
ରାଜ୍ୟ ଅର୍ଥନୀତିରେ କୃଷି କ୍ଷେତ୍ର କହିଲେ କୃଷି, ଉଦ୍ୟାନ, ପଶୁପାଳନ, ଜଙ୍ଗଲ ଓ ମତ୍ସ୍ୟ ପ୍ରଭୃତି ବିଭାଗ ଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଥାଏ। ପଚାଶ ଦଶକ ସମୟରେ ରାଜ୍ୟର ଘରୋଇ ଉତ୍ପାଦକୁ କୃଷି କ୍ଷେତ୍ରରୁ ୭୦ ପ୍ରତିଶତ ଆସୁଥିଲା ବେଳେ ୨୦୧୪-୧୫ ଆର୍ଥିକ ବର୍ଷରେ ଏହା ୧୫ ପ୍ରତିଶତକୁ ଖସିଆସିଛି। ସେହିଭଳି କୃଷି କ୍ଷେତ୍ରରୁ ଆସୁଥିବା ଆୟର ବାର୍ଷିକ ବୃଦ୍ଧିକୁ ଲକ୍ଷ୍ୟ କଲେ ୨୦୧୨-୧୩ ଆର୍ଥିକ ବର୍ଷରେ ୧୩ ପ୍ରତିଶତ ବୃଦ୍ଧି ହୋଇଥିବା ସ୍ଥଳେ ୨୦୧୩-୧୪ରେ ୮.୬୨ ପ୍ରତିଶତକୁ ହ୍ରାସ ପାଇଥିଲା। ୨୦୧୪-୧୫ରେ ୧୧.୭୩ ପ୍ରତିଶତ ଏବଂ ୨୦୧୫-୧୬ ବର୍ଷରେ କୃଷି କ୍ଷେତ୍ରର ବାର୍ଷିକ ଅଭିବୃଦ୍ଧି ୭.୨୭ ପ୍ରତିଶତ ହୋଇଛି।

ଗୋଟାଏ ପକ୍ଷରେ କୃଷିରୁ ହେଉଥିବା ଆୟର ପରିମାଣ ହ୍ରାସ ପାଉଥିବା ସ୍ଥଳେ ଅନ୍ୟ ପକ୍ଷରେ ରାଜ୍ୟରେ ଏବେ ମଧ୍ୟ ଅର୍ଦ୍ଧାଧିକ ଲୋକ କୃଷି ଉପରେ ନିର୍ଭର କରୁଛନ୍ତି। କୃଷି କ୍ଷେତ୍ରରୁ ରାଜ୍ୟର ଆୟକୁ ଯାଉଥିବା ପରିମାଣ ହ୍ରାସ ପାଇବା କିଛି ନୂଆକଥା ନୁହେଁ। କାରଣ ବିକଶିତ ରାଷ୍ଟ୍ରମାନଙ୍କରେ ମଧ୍ୟ କୃଷିରୁହେଉଥିବା ଆୟ ମୋଟ ଜାତୀୟ ଆୟର ଭାଗ ହିସାବରେ ହ୍ରାସ ପାଉଛି। କିନ୍ତୁ ସେଭଳି ରାଷ୍ଟ୍ରମାନଙ୍କରେ ଲୋକମାନଙ୍କର ଆୟର ପରିମାଣ ଯଥେଷ୍ଟ ଅଛି ଏବଂ ସେମାନଙ୍କର ଶିଳ୍ପ ଉପରେ ନିର୍ଭରଶୀଳତା ଯଥେଷ୍ଟ ବୃଦ୍ଧି ପାଇଛି। ଅତଏବ, କୃଷି ଉପରେ ଅତ୍ୟଧିକ ନିର୍ଭରଶୀଳତା ଥାଇ ମଧ୍ୟ କୃଷି କ୍ଷେତ୍ରର ଆୟର ଅଭିବୃଦ୍ଧି ନ ଘଟିବା ରାଜ୍ୟର ଅର୍ଥନୀତି ପାଇଁ ଶୁଭଙ୍କର ନୁହେଁ।

ଓଡ଼ିଶାରେ ଶିଳ୍ପର ସ୍ଥିତି
ଶିଳ୍ପ କ୍ଷେତ୍ରର ବିକାଶକୁ ନେଇ ରାଜ୍ୟ ସରକାର ଅନେକ ସମୟରେ ଦାବି କରିଥାଆନ୍ତି। ଶିଳ୍ପର ଉନ୍ନତି ଦ୍ବାରା ରାଜ୍ୟର ଅର୍ଥନୈତିକ ପ୍ରଗତି ହେବା ସହିତ ନିଯୁକ୍ତି ସୁଯୋଗ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି ବୋଲି ଅନେକ ସମୟରେ ଆଲୋଚନା ହୋଇଥାଏ। ରାଜ୍ୟର ମୋଟ ଘରୋଇ ଉତ୍ପାଦକୁ ଏହି କ୍ଷେତ୍ରର ଅବଦାନ ୩୭ ପ୍ରତିଶତ ରହିଛି। ଦେଖାଯାଇଛି ଯେ ୨୦୧୧-୧୨ ଆର୍ଥିକ ବର୍ଷରେ ଏହି କ୍ଷେତ୍ରର ଅବଦାନ ୪୩.୬୦ ପ୍ରତିଶତ ଥିବା ସ୍ଥଳେ ଏହା କ୍ରମଶଃ ପରବର୍ତ୍ତୀ ବର୍ଷମାନଙ୍କରେ ହ୍ରାସ ପାଇଛି।

ଏଥି ସହିତ ସେବା କ୍ଷେତ୍ରରୁ ଘରୋଇ ଉତ୍ପାଦକୁ ମିଳୁଥିବ ଅବଦାନ ୨୦୧୧-୧୨ ଆର୍ଥିକ ବର୍ଷରେ ୩୮.୭୧ ପ୍ରତିଶତରୁ ବୃଦ୍ଧି ପାଇ ୨୦୧୫-୧୬ ଆର୍ଥିକ ବର୍ଷରେ ୪୫.୨୮ ପ୍ରତିଶତରେ ପହଞ୍ଚିଛି। ଅତଏବ, ଚଳିତ ବର୍ଷମାନଙ୍କରେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଶିଳ୍ପର ଉନ୍ନତିକୁ ଦାୟୀ କରାଯାଇପାରିବ ନାହିଁ। ଶିଳ୍ପ କ୍ଷେତ୍ରର ଦୁଇଟି ମୁଖ୍ୟ ଉପକ୍ଷେତ୍ର ହେଲା ଖଣିଜ ପଦାର୍ଥ ଉତ୍ତୋଳନ ଏବଂ ଉତ୍ପାଦନ କ୍ଷେତ୍ର। ଖଣିଜ ପଦାର୍ଥ ଉତ୍ତୋଳନ ଉପକ୍ଷେତ୍ରରୁ ୨୦୧୧-୧୨ରେ ୧୨.୮୯ ପ୍ରତିଶତରୁ ହ୍ରାସ ପାଇ ୯.୫୪ ପ୍ରତିଶତରେ ପହଞ୍ଚିଛି। ସେହିପରି ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଏହା ୧୯.୦୯ରୁ ୧୬.୭୭ ପ୍ରତିଶତକୁ ହ୍ରାସ ପାଇଛି। ଏହିସବୁ ତଥ୍ୟରୁ ଜଣାଯାଏ ଯେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସେବା କ୍ଷେତ୍ର ହିଁ ମୁଖ୍ୟତଃ ଦାୟୀ। କିନ୍ତୁ ସେବା କ୍ଷେତ୍ରର ବୃଦ୍ଧି ଚିରସ୍ଥାୟୀ ନୁହେଁ ଏବଂ ଏହି କ୍ଷେତ୍ର ରାଜ୍ୟକୁ ସ୍ବାବଲମ୍ବୀ କରିବାରେ ସହାୟକ ହେବ ନାହିଁ।


ଯଦି ଶିଳ୍ପ କ୍ଷେତ୍ରକୁ ଅଧିକ ପ୍ରାଥମିକତା ଦିଆଯାଇ ରାଜ୍ୟ ସରକାର କେତେଗୁଡ଼ିଏ ବଡ଼ ବଡ଼ ଶିଳ୍ପାନୁଷ୍ଠାନମାନଙ୍କୁ ରିହାତି ଦରରେ ଜଳ, ଜଙ୍ଗଲ, ଜମି ଦେଉଛନ୍ତି ତେବେ ସେମାନଙ୍କର ରାଜ୍ୟର ଅଭିବୃଦ୍ଧିରେ ସହାୟତା ରହୁନାହିଁ କାହିଁକି? ଏହା ପୁଣି ଦେଖିବା କଥା ସେମାନଙ୍କର ଅବଦାନ ରାଜ୍ୟର ପ୍ରକୃତ ବିକାଶରେ କେତେଦୂର ସହାୟକ ହେଉଛି।

ଶିଳ୍ପର ବିକାଶ ଓ କର୍ମ ନିୟୋଜନ
ଅନେକ ସମୟରେ ଦାବି ହୋଇଥାଏ ଯେ ଶିଳ୍ପାନୁଷ୍ଠାନ ମାନେ ଆମ ରାଜ୍ୟରେ ଯୁବକମାନଙ୍କ ପାଇଁ ନୂତନ କର୍ମ ନିୟୋଜନ ସୃଷ୍ଟି କରୁଛନ୍ତି ଯଦ୍ବାରା ରାଜ୍ୟର ଅର୍ଥନୈତିକ ପ୍ରଗତି ହେବା ସହିତ ଏହା ପ୍ରକୃତ ବିକାଶରେ ସହାୟକ ହେଉଛି। ସରକାରୀ କ୍ଷେତ୍ରରେ ନିୟୋଜନକୁ ଲକ୍ଷ୍ୟ କଲେ ଦେଖାଯାଏ ଯେ ୨୦୦୦ ମସିହାରେ  ମୋଟ ୧,୬୪,୫୭୭ ସଂଖ୍ୟକ ପ୍ରାର୍ଥୀଙ୍କ ପଞ୍ଜୀକରଣ କରାଯାଇଥିଲା ଏବଂ ୨୦୧୪ ମସିହାରେ ଏହା ବୃଦ୍ଧି ପାଇ ୨,୨୭,୭୬୮ରେ ପହଞ୍ଚିଥିଲା। କିନ୍ତୁ ଦେଖାଯାଇଛି ଯେ ୨୦୦୦ ମସିହାରେ ମାତ୍ର ୨,୪୨୧ ସଂଖ୍ୟକ ପ୍ରାର୍ଥୀମାନଙ୍କୁ ଚାକିରି ସୁବିଧା ମିଳିଥିବା ସ୍ଥଳେ ୨୦୧୪ରେ ଏହି ସୁଯୋଗ ମାତ୍ର ୧୧୪୪ ପ୍ରାର୍ଥୀଙ୍କୁ ମିଳିଥିଲା। ଅତଏବ ସରକାରୀ କ୍ଷେତ୍ରରେ ପଞ୍ଜୀକୃତ ପ୍ରାର୍ଥୀ ତୁଳନାରେ ଚାକିରି ମିଳୁଥିବା ପ୍ରାର୍ଥୀଙ୍କ ସଂଖ୍ୟା ଅତି ନଗଣ୍ୟ। ତେଣୁ ରାଜ୍ୟର ଯୁବକମାନଙ୍କ ପାଇଁ ଘରୋଇ କ୍ଷେତ୍ର ହିଁ ଚାକିରି ସୁଯୋଗ ସୃଷ୍ଟି କରିପାରିବ। କିନ୍ତୁ ଦେଖାଯାଏ ଯେ ୨୦୦୦ ମସିହାରେ ସଂଗଠିତ କ୍ଷେତ୍ରରେ ଚାକିରି ସୁଯୋଗ ସଂଖ୍ୟା ୭.୪୬ ଲକ୍ଷ୍ୟ ଥିବା ସ୍ଥଳେ ୨୦୧୪ ମସିହାରେ ମାତ୍ର ୭.୯୫ ଲକ୍ଷ୍ୟକୁ ବୃଦ୍ଧି ପାଇଛି। ଅର୍ଥାତ୍‌ ଦୀର୍ଘ ୧୪ ବର୍ଷରେ ରାଜ୍ୟରେ ବେସରକାରୀ ସଂଗଠିତ କ୍ଷେତ୍ରରେ ମାତ୍ର ୪୯ ହଜାର କର୍ମନିଯୁକ୍ତି ସୁଯୋଗ ହୋଇ ପାରିଛି।

ଅତଏବ, କୃଷିକ୍ଷେତ୍ର ଏକ ଲାଭଦାୟକ କ୍ଷେତ୍ର ହୋଇଥିଲେ ମଧ୍ୟ ଏହାକୁ ଯଥେଷ୍ଟ ପ୍ରାଧାନ୍ୟ ଦିଆଯାଉ ନାହିଁ କିମ୍ବା କୃଷିକୁ ବ୍ୟବହାର କରି କିଭଳି ଲାଭଦାୟକ କର୍ମ ନିଯୁକ୍ତି ସୃଷ୍ଟି କରାଯାଇପାରିବ ସେ ନେଇ ଧ୍ୟାନ ଦିଆଯାଉ ନାହିଁ। ସରକାରଙ୍କର ଦୃଢ଼ ବିଶ୍ବାସ ରହିଆସିଛି ଯେ ଯଦି ଶିଳ୍ପକୁ ପ୍ରାଧାନ୍ୟ ଦିଆଯାଏ ତାହାହେଲେ ରାଜ୍ୟର ଆର୍ଥିକ ପ୍ରଗତି ହେବା ସହିତ ନୂତନ ଜୀବନ ଜୀବିକା ସୃଷ୍ଟି ହୋଇପାରିବ, କିନ୍ତୁ ବିଗତ ବର୍ଷମାନଙ୍କରେ ସରକାର ଏହାର ସଫଳ ରୂପାୟନ କରିପାରି ନାହାନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?