Pratinidhi Odia

ଶ୍ରୀମନ୍ଦିର ଜଗମୋହନ ସ୍ଥାପତ୍ୟକଳା ଓ ସଂରକ୍ଷଣ

ନିର୍ମାଣର ପ୍ରାୟ ୨୫୦ ବର୍ଷ ପରେ ଏଥିରେ ବହଳା ଚୂନ ପ୍ରଲେପ ଦିଆଯିବା ହେତୁ ଲୋକଲୋଚନକୁ ଆସି ପାରି ନ ଥିଲା ଏହାର କଳା, ଭାସ୍କର୍ଯ୍ୟ

ଶ୍ରୀମନ୍ଦିର ଜଗମୋହନର ମରାମତି କାର୍ଯ୍ୟ ବୁଲି ତଦାରଖ କରୁଛନ୍ତି ପର୍ଯ୍ୟବେକ୍ଷକ ଦଳ
ପରିଦୃଶ୍ୟମାନ ଶ୍ରୀଜଗନ୍ନାଥ ମନ୍ଦିର କଳିଙ୍ଗ ସ୍ଥାପତ୍ୟ ଶୈଳୀର ଶ୍ରେଷ୍ଠ ନିଦର୍ଶନ। ଏହା ଗଙ୍ଗବଂଶୀ ରାଜା ଚୋଡ଼ଗଙ୍ଗଦେବଙ୍କ ଦ୍ବାରା ଖ୍ରୀଷ୍ଟୀୟ ଦ୍ବାଦଶ ଶତାବ୍ଦୀରେ ନିର୍ମିତ ବୋଳି ଅଭିଲେଖରୁ ପ୍ରମାଣ ମିଳେ। ଅଭିଲେଖରୁ ମଧ୍ୟ ସୂଚନା ମିଳେ ଯେ ‘ମୟ’ ନାମକ ଜନୈକ ଶିଳ୍ପୀ କଳିଙ୍ଗ ଶୈଳୀର ଜନ୍ମଦାତା। ନିଆଳିର ଶୋଭନେଶ୍ବର ମନ୍ଦିର ଅଭିଲେଖରେ ଓ ଭୁବନେଶ୍ବର ଅନନ୍ତ ବାସୁଦେବ ମନ୍ଦିର ଅଭିଲେଖରେ ‘ମୟ’ ନାମକ ଶିଳ୍ପୀଙ୍କର ପଦ୍ଧତି ଅନୁସାରେ ଏହିସବୁ ମନ୍ଦିର ନିର୍ମାଣ କରାଯାଇଥିବାର ସ୍ପଷ୍ଟ ଉଲ୍ଲେଖ ଅଛି।

ଶ୍ରୀମନ୍ଦିରର ଗଠନ ଶୈଳୀ
ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଗଠନ ଶୈଳୀ ରେଖ ଶ୍ରେଣୀୟ ଅଟେ ଏବଂ ଏହା ପଞ୍ଚ ରଥ ଶୈଳୀରେ ନିର୍ମିତ। ୨ଟି ଅନୁରାହା ପାଗ, ୨ଟି କୋଣକ ପାଗ ଏବଂ ୧ଟି ରାହା ପାଗ ବଡ଼ଦେଉଳ ଗଠନରେ ପ୍ରୟୋଗ ହୋଇଥିବାରୁ ଏହା ‘ପଞ୍ଚରଥ’ଶୈଳୀରେ ନିର୍ମିତ ବୋଲି ଶିଳ୍ପ ଶାସ୍ତ୍ରବିତ୍‌ମାନେ ମତପ୍ରଦାନ କରିଛନ୍ତି। ପୁରୀ ଜିଲା ଗେଜେଟିଅରର ଉଲ୍ଲେଖ ପ୍ରକାରେ ‘‘ଏମଙ୍ଗ ଦ ଏକ୍‌ଜିଷ୍ଟିଂ ଟେମ୍ପଲ୍ସ ଇନ୍‌ ଓଡ଼ିଶା, ଦ ଟେମ୍ପଲ ଅଫ ଜଗନ୍ନାଥ ଇଜ୍‌ ଦ ହାଇଏଷ୍ଟ। ଦ ଟେମ୍ପଲ (୨୧୪ ଫିଟ୍‌ ୮ ଇଞ୍ଚେସ ହାଇ ଫ୍ରମ ଦ ରୋଡ୍‌ ଲେବଲ) ଇଜ୍‌ ଅନ୍‌ ଏ ପରଫେକ୍ଟ ପଞ୍ଚରଥ ପ୍ଲାନ୍‌।’’ ସୁଉଚ୍ଚ କାରୁକାର୍ଯ୍ୟ ବିମଣ୍ଡିତ ଭବ୍ୟ ମନ୍ଦିର ଉତ୍କଳୀୟ ମନ୍ଦିର ଗଠନ ଶୈଳୀ ଅନୁଯାୟୀ ୪ ଭାଗରେ ଯଥା ବିମାନ (ଗର୍ଭଗୃହ), ଜଗମୋହନ, ନାଟମଣ୍ଡପ ଓ ଭୋଗମଣ୍ଡପ।

ଶ୍ରୀମନ୍ଦିର ଜଗମୋହନଟି ଚାରିଗୋଟି ବୃହତ୍‌କାୟ ସ୍ତମ୍ଭ ଉପରେ ପ୍ରତିଷ୍ଠିତ। ବିମାନ ବା ମୁଖ୍ୟ ମନ୍ଦିରର ପୂର୍ବ ଦିଗରେ ଜଗମୋହନ ଅବସ୍ଥିତ। ଜଗମୋହନଟି ପୀଢ଼ ଶୈଳୀର ସ୍ଥାପତ୍ୟ ଅଟେ। ଜଗମୋହନ ଭିତରେ ପୂର୍ବରୁ ପଶ୍ଚିମକୁ ପ୍ରବେଶ ପଥ (ଜୟ ବିଜୟ ଦ୍ବାର) ଦେଇ ଗର୍ଭଗୃହକୁ ଯିବା ପାଇଁ କଳାହାଟ ଦ୍ବାର ଦେଇ ଅତିକ୍ରମ କରିବାକୁ ପଡ଼ିଥାଏ।

ଜଗମୋହନର ଗଠନ ଶୈଳୀ

ଏହି ଦ୍ବାରର ଉଚ୍ଚତା ୧୪ ଫୁଟ ୪ ଇଞ୍ଚ ଓ ପ୍ରସ୍ଥ ୮ ଫୁଟ ୧୦ ଇଞ୍ଚ। ଜଗମୋହନଟି ୮୦ ଫୁଟରେ ୮୦ ଫୁଟ ବିଶିଷ୍ଟ ବର୍ଗାକାର ଭିତ୍ତି ଉପରେ ନିର୍ମିତ। ଏହାର କେନ୍ଦ୍ରସ୍ଥଳରେ ପ୍ରାୟ ୫୦ ଫୁଟ ଉଚ୍ଚ ୪ଟି ବିଶାଳକାୟ ସ୍ତମ୍ଭ ରହିଛି। ବିଶିଷ୍ଟ ଐତିହାସିକ ରାଜେନ୍ଦ୍ର ଲାଲ ମିତ୍ରଙ୍କ ଉଲ୍ଲେଖ ପ୍ରକାରେ ଜଗମୋହନର ଉଚ୍ଚତା ୧୨୦ ଫୁଟ ଅଟେ। ଜଗମୋହନର ନିର୍ମାଣ ଶୈଳୀ ଅନୁଯାୟୀ ଏହାର ବାଡ଼ ପଞ୍ଚାଙ୍ଗ। ପା ଭାଗଟି ମଧ୍ୟ ପାଞ୍ଚ ଭାଗରେ ବିଭକ୍ତ ହୋଇଛି। ତଳ ଜଙ୍ଘାରେ ରାହା ଭିନ୍ନ ଅନ୍ୟ ସବୁ ପାଗରେ ଖାଖରା ମୁଣ୍ଡି ଓ ଉପର ଜଙ୍ଘାରେ ପୀଢ଼ ମୁଣ୍ଡି ରହିଛି। ସେହି ମୁଣ୍ଡିଗୁଡ଼ିକର ଠଣାଗୁଡ଼ିକ ଅବରୁଦ୍ଧ କରିଦିଆଯାଇଛି। ପ୍ରତି ମୁଣ୍ଡିର ଦୁଇ ପାର୍ଶ୍ବରେ ଅତିରିକ୍ତ ସ୍ତମ୍ଭାଂଶ ରହିଛି। ତଳ ଜଙ୍ଘାର ଦୁଇ ପାଗର ସନ୍ଧିରେ ବିଡ଼ାଳ ଓ ଉପର ଜଙ୍ଘାର ସନ୍ଧିରେ ନଗ୍ନ କାମକ୍ରୀଡ଼ାରତ ମିଥୁନ ମୂର୍ତ୍ତି ରହିଛି। ଜଗମୋହନର ଛାତଟି ଏକ ପଞ୍ଚରଥ ପୀଢ଼ ଶୈଳୀର ଅଟେ। ଏହି ପଞ୍ଚରଥ ବାଡ଼ ଉପରେ ସମାନ ରେଖାରେ ଦଣ୍ଡାୟମାନ।

ଜଗମୋହନର ଗଣ୍ଡିଟି ଦୁଇଗୋଟି ପୋଟଳରେ ବିଭକ୍ତ। ତଳ ପୋଟଳରେ ସାତଟି ଓ ଉପର ପୋଟଳରେ ଛଅଟି ପୀଢ଼ ତାଳୁ ଉପରକୁ କ୍ରମଶଃ ସାନ ହୋଇ ଉଠିଛି। ଉପର ପୋଟଳରେ ପୀଢ଼ଗୁଡ଼ିକୁ ଧରି ରଖିବା ପାଇଁ କେତେକ ପୀଢ଼ ମୁଣ୍ଡି, ସ୍ତମ୍ଭ ଓ କେତେକ ମନ୍ଦିର ଚାରିଣୀ ମୂର୍ତ୍ତି ସ୍ଥାପିତ ହୋଇଛି। ଜଗମୋହନର ମସ୍ତକ ଭାଗରେ ବେକି, ଅଁଳା ବେକି, ଅଁଳା ବା ଆମଳକି, କଳସ ଓ ଆୟୁଧ ରହିଛି। ଏହାର ନାମ ‘ଆୟୁଧଚକ୍ର’ ଅଟେ।

ଜଗମୋହନ ବାଡ଼ର ସ୍ଥାପତ୍ୟ ଶୈଳୀ ପ୍ରତି ଦୃଷ୍ଟିପାତ କଲେ ଜଣାଯାଏ ଯେ ପୀଠ ଉପରେ ଥିବା (ଚତୁଃପାର୍ଶ୍ବର ସଳଖ କାନ୍ଥ) ଉଲମ୍ବ (ଭର୍ଟିକାଲ) ଭାବେ ପଞ୍ଚରଥ ରୀତିରେ ନିର୍ମିତ। ବାଡ଼ର ଉଚ୍ଚତା ୩୧ ଫୁଟ ୫ ଇଞ୍ଚ ଏବଂ ନିମ୍ନରୁ ଊର୍ଦ୍ଧ୍ବକୁ ଅନୁଲମ୍ବ (ହୋରାଇଜଣ୍ଟାଲ) ଭାବେ ଏହା ପା ଭାଗ, ତଳଜଙ୍ଘା, ବନ୍ଧନା, ଉପର ଜଙ୍ଘା ଓ ବରଣ୍ଡ ପା ଭାଗର ନିମ୍ନରୁ ଊର୍ଦ୍ଧ୍ବକୁ ପଞ୍ଚ ସମାନ୍ତରାଳ ଅଙ୍ଗ ଭାବେ ତଥା ପଞ୍ଚକର୍ମ ରୂପେ ପରିଚିତ ଖୁରା (ପାଦ), କୁମ୍ଭ, ପଟା, କଣି ଓ ବସନ୍ତ ଅବସ୍ଥିତ।

ଭାସ୍କର୍ଯ୍ୟକଳା ଅଦୃଶ୍ୟମାନ
ଶ୍ରୀମନ୍ଦିର ଜଗମୋହନ ନିର୍ମାଣର ପ୍ରାୟ ୨୫୦ ବର୍ଷ ପରେ ଏଥିରେ ବହଳା ଚୂନ ପ୍ରଲେପ ଦିଆଯାଇଥିଲା। ତେଣୁ ଏହାର କଳା ଭାସ୍କର୍ଯ୍ୟ ଲୋକଲୋଚନକୁ ଆସି ପାରି ନ ଥିଲା। ୨୦୧୬ ମସିହା ଜାନୁଆରୀ ୨୭ ତାରିଖ ଠାରୁ ଜଗମୋହନର ମରାମତି ଓ ସଂରକ୍ଷଣ ନିମିତ୍ତ ଭିତର ପାର୍ଶ୍ବର ଚୂନ ଛଡ଼ା ଯିବା ଦ୍ବାରା ଏହା ବଉଳମାଳା ପ୍ରସ୍ତରରେ ନିର୍ମିତ ବୋଲି ଜଣାଗଲା। ଜଗମୋହନର ବାହାର ପାର୍ଶ୍ବର ପ୍ରତ୍ୟେକ ଦିଗରେ ଦୁଇଟି ଲେଖାଏଁ ଚତୁର୍ଦ୍ଦିଗରେ ମୋଟ ୮ଟି ଗଜ¬-ସିଂହ ମୂର୍ତ୍ତି ବିଦ୍ୟମାନ। ଜଗମୋହନ କାନ୍ଥି ଚତୁଃପାର୍ଶ୍ବରେ ରହିଥିବା ବରଣ୍ଡ ଉପରେ ଶୋଭିତ କମନୀୟ ଅଳସୀ କନ୍ୟାଗୁଡ଼ିକ ବାହ୍ୟପାର୍ଶ୍ବର ସୌନ୍ଦର୍ଯ୍ୟକୁ ଶ୍ରୀବୃଦ୍ଧି କରିବାରେ ସହାୟକ ହୋଇଛି। ବିଭିନ୍ନ ଅଙ୍ଗଭଙ୍ଗୀ ଓ ଶୈଳୀରେ ନିର୍ମିତ ଉକ୍ତ ଦଣ୍ଡାୟମାନ କନ୍ୟା ମୂର୍ତ୍ତିଗୁଡ଼ିକର ସଂଖ୍ୟା ୩୪।

ଜଗମୋହନରେ ଫାଟ
୧୯୭୨ ମସିହାରେ ଶ୍ରୀମନ୍ଦିରର ମୁଖ୍ୟ ମନ୍ଦିର (ବିମାନ) ଓ ଜଗମୋହନର ସଂଯୋଗ ସ୍ଥାନରେ ଏକ ବଡ଼ ଧରଣର ଫାଟ ଦେଖାଯିବାରୁ ଏବଂ କେତେକ ବରଗଛ ମନ୍ଦିରର ସନ୍ଧିସ୍ଥଳରେ ଉଠି ଫାଟ ସୃଷ୍ଟି ହେବାରୁ କ୍ରମାଗତ ବର୍ଷାଜଳ ମନ୍ଦିର ଭିତରକୁ ପ୍ରବେଶ କରୁଥିବା ଯୋଗୁଁ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁରୋଧ କ୍ରମେ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ ଏହି କାର୍ଯ୍ୟରେ ସଂରକ୍ଷଣ ଓ ମରାମତି ସେହି ସମୟରେ ସମ୍ପାଦନ କରିଥିଲା।

ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯିବା ପରେ ୧୯୭୯ ମସିହ ଅଗଷ୍ଟ ୨୨ ତାରିଖରେ ଏଏସ୍‌ଆଇ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଏକ ଚୁକ୍ତିନାମା ସମ୍ପାଦିତ ହୋଇଥିଲା। ସେହିଦିନଠାରୁ ବିଧିବଦ୍ଧ ଭାବେ ଶ୍ରୀମନ୍ଦିର ସଂରକ୍ଷଣ ଓ ମରାମତି ଦାୟିତ୍ବ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ ଉପରେ ନ୍ୟସ୍ତ ହୋଇଛି।

ଶ୍ରୀମନ୍ଦିରର ମରାମତି ଓ ସଂରକ୍ଷଣ
ଶ୍ରୀମନ୍ଦିରର ଜଗମୋହନ, ନାଟମଣ୍ଡପ ଓ ଭୋଗମଣ୍ଡପର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ନିମନ୍ତେ ୨୦୦୬ ମସିହାରେ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗର ବୈଷୟିକ କମିଟିର ବୈଠକର ନିଷ୍ପତ୍ତି ପ୍ରକାରେ ୭ ଜଣ ବୈଷୟିକ ସଦସ୍ୟଙ୍କୁ ନେଇ ଏକ କୋର୍‌ କମିଟି ଗଠନ କରାଯାଇଥିଲା। ଏହି ବୈଠକରେ ଅଧ୍ୟକ୍ଷଣ କରିଥିଲେ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗର ମହାନିର୍ଦେଶକ। ୨୦୧୫ ରଥଯାତ୍ରା ଅବସରରେ ଉଭୟ ପ୍ରତ୍ନତତ୍ତ୍ବ ବିଭାଗ ଓ କୋର କମିଟି ସଦସ୍ୟମାନଙ୍କ ମିଳିତ ଯାଞ୍ଚ କରାଯିବା ସମୟରେ
  • ଜଗମୋହନର ଉତ୍ତର ପଶ୍ଚିମ କଲମ୍‌ କ୍ୟାପିଟାଲରେ ଫାଟ ଓ ପଥର ଖସିଥିବା
  • ଗମୋହନ କଲମ ଛାତକୁ ଭାରା ଦେଇଥିବା ୮ଟି ପଥର ବିମ୍‌ରେ ଫାଟ ଥିବା
  • ଜଗମୋହନର ଠଣା ଓ କାନ୍ଥରୁ କେତେକ ପଥର ଖସିଥିବା
  • ଲୁଣି ଜଳବାୟୁ ଓ ବର୍ଷାପାଣି ପଶି ଫାଟ ହେବା ସଙ୍ଗେ ସଙ୍ଗେ ଲୁହା ବିମ୍‌ରେ ଅତ୍ୟଧିକ କଳଙ୍କି ଲାଗିଥିବା ଏବଂ
  • ଅତ୍ୟଧିକ ଚୂନ ପ୍ଲାଷ୍ଟର ଜଗମୋହନକୁ କ୍ଷତି ପହଞ୍ଚାଇଥିବା ଜଣାପଡ଼ିଥିଲା। ଏହା ଜଗମୋହନର ବିପଦସଙ୍କୁଳ ଅବସ୍ଥା ସମ୍ପର୍କରେ ସୂଚାଇ ଥିଲା।

ଆଗେଇଛି ସଂରକ୍ଷଣ କାର୍ଯ୍ୟ
ଜଗମୋହନର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୨୭ ତାରିଖଠାରୁ ଜୁନ ୧୪ ତାରିଖ ମଧ୍ୟରେ ମୋଟ ୧୩୯ ଦିନରେ ନିମ୍ନୋକ୍ତ କାର୍ଯ୍ୟ ଉଭୟ ଏଏସ୍‌ଆଇ ଭୁବନେଶ୍ବର ସର୍କଲ ଓ ଶ୍ରୀମନ୍ଦିର କୋର କମିଟି ବୈଷିୟକ ସଦସ୍ୟଙ୍କ ମିଳିତ ସହଯୋଗ ତଥା ଉପଦେଶରେ କେତେକ କାର୍ଯ୍ୟ ସଂପନ୍ନ ହୋଇଛି। ତନ୍ମଧ୍ୟରେ ...
  • ଜଗମୋହନ ଭିତର ପାର୍ଶ୍ବର ଚୂନଛଡ଼ା, ଜଏଣ୍ଟ ସିଲିଂ, ଗ୍ରାଉଟିଂ କାର୍ଯ୍ୟ ସରିଛି।
  • ୭୦ଟି ଦୁର୍ବଳ ପଥରକୁ ପରିବର୍ତ୍ତନ କରାଯାଇ ସେହି ସ୍ଥାନରେ ନୂତନ ଉତ୍ତମ ମାନର ପଥର ସଂସ୍ଥାପନ କରାଯାଇଛି।
  • ଲୁହା ବିମ୍‌ ମାନଙ୍କରୁ କଳଙ୍କି ଛଡ଼ାଯାଇ କଳଙ୍କି ନିରୋଧ ପ୍ରଲେପ (ଆଣ୍ଟି କରୋସିଭ୍‌ ପେଣ୍ଟ୍‌) ଲଗାଯାଇଛି।
  • ଜଗମୋହନର ୩ଟି ପିଲାର ନିକଟରେ ସପୋର୍ଟ ପାଇଁ ଅସ୍ଥାୟୀ ଲୁହା ପାଇପ୍‌ ଭାରା ଦିଆଯାଇଛି। ୪ଟି ସ୍ତମ୍ଭର କ୍ୟାପିଟାଲ ଷ୍ଟୋନ୍‌ର ପିନିଂ କାର୍ଯ୍ୟ ଶେଷ ହୋଇଛି।
  • ଜଗମୋହନର ଡ୍ରେନ୍‌ ମରାମତି କାର୍ଯ୍ୟ ସରିଛି।
  • ଉତ୍ତର ପଶ୍ଚିମ କ୍ୟାପିଟାଲ କଲମ୍‌ର ମରାମତି କାର୍ଯ୍ୟ କରାଯାଇଛି।
  • ଅନ୍ୟାନ୍ୟ ବକେୟା ରହିଥିବା ସଂରକ୍ଷଣ କାର୍ଯ୍ୟ ମଧ୍ୟରେ...
  • କଲମ ଜ୍ୟାକେଟିଂ
  • କ୍ୟାପିଟାଲ ଷ୍ଟୋନ୍‌ କନ୍‌ଫାଇନମେଣ୍ଟ
  • ଷ୍ଟେନଲେସ ପିଲାର ଓ ବକ୍ସ ଫ୍ରେମ୍‌ ସ୍ଥାପନ ଏବଂ
  • ୭ଟି ପକେଟ୍‌ (ଠଣା)ର ଏସ୍‌ଏସ୍‌ ଫ୍ରେମ୍‌ ସଂସ୍ଥାପନ ଇତ୍ୟାଦି ଅନ୍ତର୍ଭୁକ୍ତ।
ଇତିମଧ୍ୟରେ ଗତବର୍ଷ ସେପ୍ଟେମ୍ବର ୬ ତାରିଖ ଠାରୁ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହୋଇ ୭ଗୋଟି ଠଣା (ପକେଟ୍‌)ର ଫ୍ରେମ୍‌ ସଂସ୍ଥାପନ କାର୍ଯ୍ୟ ଚାଲୁଅଛି। ଖୁବ୍‌ ଶୀଘ୍ର ଏହି ସଂରକ୍ଷଣ କାର୍ଯ୍ୟ ଶେଷ ହେବ ବୋଲି ଅନୁମାନ କରାଯାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?