Pratinidhi Odia

ବଲିଉଡ୍‌ ଦଙ୍ଗଲରେ ଅାମୀରଙ୍କ ବାଜିମାତ୍‌

ବକ୍ସ ଅଫିସ ଆଦାୟରେ ସଲ୍‌ମାନ, ଶାହରୁଖ ଓ ହ୍ରିଥିକଙ୍କୁ ପଛରେ ପକାଇଲେ

ଦଙ୍ଗଲରେ ଆମୀର, ରଈସ୍‌ରେ ଶାହରୁଖ ଓ କାବିଲରେ ହ୍ରିଥିକ
ମିଛରେ କୁହାଯାଇ ନାହିଁ ଆମୀର ଖାନ୍‌ଙ୍କୁ ବଲିଉଡ୍‌ର ପରଫେକ୍ସନିଷ୍ଟ। ଉପଯୁକ୍ତ ଫିଲ୍ମ ଚୟନ ଓ ଦମ୍‌ଦାର ଅଭିନୟ ବଳରେ ସେ ଏହି ଉକ୍ତିକୁ ବର୍ଷ ପରେ ବର୍ଷ, ଫିଲ୍ମ ପରେ ଫିଲ୍ମରେ ପ୍ରମାଣିତ କରି ଚାଲିଛନ୍ତି। ୨୦୧୬ କ୍ରିଶ୍‌ମାସ ଅବସରରେ ଡିସେମ୍ବର ୨୩ରେ ମୁକ୍ତିପ୍ରାପ୍ତ ତାଙ୍କ ଅଭିନୀତ ଫିଳ୍ମ ‘ଦଙ୍ଗଲ’ ଏହାର ଜ୍ବଳନ୍ତ ନମୁନା।

ବକ୍ସ ଅଫିସ୍‌ରେ ଏହି ଫିଲ୍ମଟି ରେକର୍ଡ ବ୍ୟବସାୟ କରି ତାଙ୍କ ନିଜ ଫିଲ୍ମ ‘ପିକେ’, ସଲ୍‌ମାନଙ୍କ ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ ଓ ‘ସୁଲତାନ’ ଏବଂ ପ୍ରଭାସ ଓ ରାଣା ଡଗୁବତୀଙ୍କ ଫିଲ୍ମ ‘ବାହୁବଲୀ’କୁ ପଛରେ ପକାଇଛି। ଏପରିକି ସମାନ ସଂଖ୍ୟକ ଦିନର ପରିସଂଖ୍ୟାନ ଦେଖିଲେ ‘ଦଙ୍ଗଲ’ ଜାନୁଆରୀ ୨୫ରେ ମୁକ୍ତିପ୍ରାପ୍ତ ଶାହରୁଖଙ୍କ ଫିଲ୍ମ ‘ରଈସ’ ଓ ହ୍ରିଥିକ୍‌ଙ୍କ ଫିଲ୍ମ ‘କାବିଲ୍‌’କୁ ମଧ୍ୟ ବହୁ ପଛରେ ଛାଡ଼ି ଦେଇଛି। ଏଣୁ ଏବେ ଆମୀର ହିଁ ବକ୍ସ ଅଫିସ୍‌ର ଅସଲ ମହାରାଜା।

ରେକର୍ଡ ପରେ ରେକର୍ଡ
‘ଦଙ୍ଗଲ’ ଦେଶ ବିଦେଶରେ ଉଭୟ ସମୀକ୍ଷକ ଓ ଦର୍ଶକଙ୍କ ପ୍ରଶଂସା ସାଉଁଟିବା ସହ ଏହାକୁ ଆୟରେ ପରିବର୍ତ୍ତିତ କରିପାରିଛି। ମାତ୍ର ୩ ଦିନରେ ୧୦୦ କୋଟି, ୮ ଦିନରେ ୨୦୦ କୋଟି, ୧୩ ଦିନରେ ୩୦୦ କୋଟି ଓ ୨୯ ଦିନରେ ୩୭୫ କୋଟି ଟଙ୍କାର ବ୍ୟବସାୟ ଭାରତରେ କରିବା ପରେ ଏହା ୪୫ ଦିନରେ ୩୮୬ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଆଦାୟ କରିପାରିଛି। ଫଳରେ ‘ପିକେ’ର ରେକର୍ଡ (୩୪୦.୮ କୋଟି ଟଙ୍କା)କୁ ମାତ୍ର ୧୭ ଦିନରେ ଭାଙ୍ଗି ଏହା ଭାରତରେ ସର୍ବାଧିକ ଆଦାୟକାରୀ ଫିଲ୍ମ ହୋଇଛି। ସେହିପରି ବିଶ୍ବବ୍ୟାପୀ ଏହା ୭୪୧ କୋଟି ଟଙ୍କାରୁ ଊର୍ଦ୍ଧ୍ବ ବ୍ୟବସାୟ କରି ‘ପିକେ’ (୭୯୨ କୋଟି ଟଙ୍କା) ପଛକୁ ଦ୍ବିତୀୟ ସ୍ଥାନରେ ରହିଛି।

ଆମୀରଙ୍କ ଫିଲ୍ମ ସହ ବକ୍ସ ଅଫିସ ରେକର୍ଡ ଯୋଡ଼ିହୋଇ ରହିଛି। ବଲିଉଡ୍‌ରେ ପ୍ରଥମ ୧୦୦ କୋଟି, ୨୦୦ କୋଟି, ୩୦୦ କୋଟି ଓ ଏବେ ସର୍ବାଧିକ ୩୮୫ କୋଟି ବ୍ୟବସାୟ କରିଥିବା ଯଥାକ୍ରମେ ଗଜ୍‌ନୀ (୨୦୦୮), ଥ୍ରୀ ଇଡିଅଟ୍‌ସ (୨୦୦୯), ପିକେ (୨୦୧୪) ଓ ଦଙ୍ଗଲ (୨୦୧୬) ସବୁଥିରେ ଆମୀରଙ୍କ ଛାପ ରହିଛି। ଏଥି ସହିତ ଦଙ୍ଗଲ ୩ୟ ଦିନ, ରବିବାର ଓ କ୍ରିଶ୍‌ମାସର ସର୍ବାଧିକ ଆୟକାରୀ (୪୫.୩୫ କୋଟି ଟଙ୍କା) ଫିଲ୍ମ ଏବଂ ଭାରତ, ଆମେରିକା, ମଧ୍ୟପ୍ରାଚ୍ୟ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ସର୍ବାଧିକ ଆୟକାରୀ ଭାରତୀୟ ଫିଲ୍ମର ମାନ୍ୟତା ପାଇଛି।

ପ୍ରତିଦ୍ବନ୍ଦ୍ବିତାରେ ଆଗୁଆ ଆମୀର

ନୀତେଶ ତିୱାରୀଙ୍କ ନିର୍ଦେଶିତ ତଥା ଆମୀର, ସାନ୍ୟା ମାଲହୋତ୍ରା, ଫତିମା ସାନା ଶେଖ୍‌, ସାକ୍ଷୀ ତୱଁର, ସୁହାନୀ ଭଟ୍ଟନାଗର, ଜାଇରା ୱାସିମ୍‌, ଗିରିଶ କୁଲକର୍ଣ୍ଣି ଓ ଅପାରଶକ୍ତି ଖୁରାନାଙ୍କ ଅଭିନୀତ ‘ଦଙ୍ଗଲ’କୁ ନିର୍ଦେଶନା, କାହାଣୀ, ଅଭିନୟ ଓ ଚିତ୍ରନାଟ୍ୟ ପାଇଁ ସମୀକ୍ଷକଙ୍କ ଆଦୃତି ମିଳିଛି। ଚଳିତ ବର୍ଷ ୬୨ତମ ଫିଲ୍ମ ଫେୟାର ପୁରସ୍କାରରେ ‘ଦଙ୍ଗଲ’କୁ ଶ୍ରେଷ୍ଠ ଫିଲ୍ମ ସମେତ ଆମୀର ଖାନଙ୍କୁ ଶ୍ରେଷ୍ଠ ଅଭିନେତା, ନୀତେଶ ତିୱାରୀଙ୍କୁ ଶ୍ରେଷ୍ଠ ନିର୍ଦେଶକ ଓ ଶ୍ୟାମ କୌଶଲଙ୍କୁ ଶ୍ରେଷ୍ଠ ଆକ୍ସନ ନିର୍ଦେଶକ ଆଦି ୪ଟି ପୁରସ୍କାର ମିଳିଛି। ସେହିପରି ରାହୁଲ ଢୋଲକିଆଙ୍କ ନିର୍ଦେଶିତ ତଥା ଶାହରୁଖ ଖାନ, ମାହିରା ଖାନ, ନୱାଜୁଦ୍ଦିନ ସିଦ୍ଦିକି ଓ ଅତୁଲ କୁଲକର୍ଣ୍ଣିଙ୍କ ଅଭିନୀତ ‘ରଈସ୍‌’ ଏବଂ ସଞ୍ଜୟ ଗୁପ୍ତାଙ୍କ ନିର୍ଦେଶିତ ତଥା ହ୍ରିଥିକ୍‌ ରୋଶନ, ୟାମି ଗୌତମ, ରୋନିତ୍‌ ରୟ, ରୋହିତ୍‌ ରୟ, ନରେନ୍ଦ୍ର ଝା ଓ ଗିରିଶ କୁଲକର୍ଣ୍ଣିଙ୍କ ଅଭିନୀତ ‘କାବିଲ’ ମଧ୍ୟ ପ୍ରଶଂସିତ ହୋଇଛି।

ହେଲେ ବକ୍ସ ଅଫିସରେ ସମାନ ସଂଖ୍ୟକ ଦିନର ଆୟ ପରିସଂଖ୍ୟାନରେ ‘ଦଙ୍ଗଲ’ ସଭିଙ୍କୁ ପଛରେ ପକାଇ ରେକର୍ଡ କରିଛି। ରିଲିଜ୍‌ର ୧୨ ଦିନ ମଧ୍ୟରେ ଦଙ୍ଗଲ ଏକାକୀ ୨୯୫.୧୫ କୋଟି ଟଙ୍କାର ବ୍ୟବସାୟ କରିଥିବା ବେଳେ ରଈସ (୧୪୭.୪୬) ଓ କାବିଲ (୯୭.୦୩ କୋଟି ଟଙ୍କା) ମିଶି ମୋଟ ୨୪୪.୪୯ କୋଟି ଟଙ୍କାର ବ୍ୟବସାୟ କରିଛନ୍ତି, ଯାହାକି ଦଙ୍ଗଲ ବ୍ୟବସାୟ ଠାରୁ ୫୦ କୋଟି ଟଙ୍କା କମ୍‌। ସେହିପରି ୧୨ ଦିନରେ ସଲମାନଙ୍କ ‘ସୁଲତାନ’ ୨୬୩. ୨୩ କୋଟି ଓ ‘ବଜରଙ୍ଗୀ ଭାଇଜାନ’ ୨୫୯.୧୨ କୋଟି ଟଙ୍କାର ବ୍ୟବସାୟ କରି ‘ଦଙ୍ଗଲ’ ପଛରେ ରହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?