Pratinidhi Odia

କମୁଛି ଗ୍ରାମପଞ୍ଚାୟତର ଆର୍ଥିକ କ୍ଷମତା

ସମ୍ବଳ ନାହିଁ, ଖାଲି କାଗଜ କଲମରେ ଗଡ଼ୁଛି ଅଙ୍କ

ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ ଚାଲିଛି ଗ୍ରାମସଭାରେ ଆଲୋଚନା

ଗ୍ରାମ ପଞ୍ଚାୟତ ତୃଣମୂଳ ସ୍ତରର ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଥାନ୍ତି। ଯେହେତୁ ଗ୍ରାମ ପଞ୍ଚାୟତରେ ପ୍ରତିନିଧିମାନେ ଜନସାଧାରଣଙ୍କନିକଟରେ ରହିଥାଆନ୍ତି, ତେଣୁ ଗ୍ରାମ୍ୟ ସ୍ତରରେ ଥିବା ବିଭିନ୍ନ ସମସ୍ୟାଗୁଡ଼ିକ ସହିତ ଜଡ଼ିତ ରହିଥାନ୍ତି। ନବେ ଦଶକରେ ଏକ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଗ୍ରାମପଞ୍ଚାୟତମାନଙ୍କୁ ବହୁତ କିଛି କ୍ଷମତା ଦିଆଯାଇଥିଲା। ଇତିମଧ୍ୟରେ ଦୁଇ ଦଶନ୍ଧି ଅତିକ୍ରମ କରିଯାଇଛି।

ଦେଖାଯାଏ ଯେ ପଞ୍ଚାୟତମାନେ ସେମାନଙ୍କର କ୍ଷମତାକୁ ଠିକ୍‌ ଭାବରେ ଉପଯୋଗ କରିପାରୁ ନାହାନ୍ତି। ଏହାର ମୁଖ୍ୟ ସମସ୍ୟା ହେଲା ଆର୍ଥିକ କ୍ଷମତାର ଅଭାବ। ସରକାର ପଞ୍ଚାୟତଗୁଡ଼ିକୁ ଏକ କାର୍ଯ୍ୟକ୍ରମ ପରିଚାଳନା କରିବା ସଂସ୍ଥା ଭଳି ଦେଖୁଛନ୍ତି। ଫଳରେ ନିଜସ୍ବ ଅର୍ଥ ନ ଥାଇ ପଞ୍ଚାୟତଗୁଡ଼ିକ ଅନେକ ଗୁଡ଼ିଏ ଯୋଜନା କରି ରାଜ୍ୟ ସରକାରଙ୍କର ଅନୁମୋଦନ ପାଇଁ ଦେଇଥାଆନ୍ତି।

ରାଜ୍ୟ ସରକାର ଗ୍ରାମ ପଞ୍ଚାୟତଗୁଡ଼ିକୁ ଅନୁଦାନ ଦେବା ସହିତ ରାଜ୍ୟ ଏବଂ କେନ୍ଦ୍ର ଅର୍ଥ ଆୟୋଗ ଦ୍ବାରା ପ୍ରଦତ୍ତ ଅର୍ଥଗୁଡ଼ିକୁ ମଧ୍ୟ ପ୍ରଦାନ କରିଥାଆନ୍ତି। କିନ୍ତୁ ଦେଖାଯାଉଛି ବିଗତ ଅର୍ଥ କମିଶନ ଦ୍ବାରା ଅନୁମୋଦିତ ଅର୍ଥ ଗ୍ରାମପଞ୍ଚାୟତ ପାଖରେ ପହଞ୍ଚି ପାରୁ ନାହିଁ ।

ଉପରୋକ୍ତ ତଥ୍ୟକୁ ଦେଖିଲେ ଜଣାଯାଏ ଯେ ଦ୍ବିତୀୟ ଅର୍ଥ ଆୟୋଗ ରାଜ୍ୟ ସରକାରଙ୍କୁ ଗ୍ରାମ ପଞ୍ଚାୟତ ଗୁଡ଼ିକ ପାଇଁ ୨୧୪୩.୨୨ କୋଟି ଟଙ୍କା ଦେବା ପାଇଁ ଅନୁମୋଦନ କରିଥିଲେ। କିନ୍ତୁ ପ୍ରକୃତ ପକ୍ଷେ ରାଜ୍ୟ ସରକାର ୯୮୪.୩୬ କୋଟି ଟଙ୍କା ପଞ୍ଚାୟତମାନଙ୍କୁ ପ୍ରଦତ୍ତ କରିଛନ୍ତି। ଅପରପକ୍ଷେ ସହରାଞ୍ଚଳରେ ଥିବା ମ୍ୟୁନିସିପାଲିଟି ଭଳି ଅନୁଷ୍ଠାନମାନଙ୍କୁ ୪୭୯.୬୭ କୋଟି ଟଙ୍କା ଅନୁମୋଦନ ହୋଇଥିବା ସ୍ଥଳେ ଏହାର ଦୁଇ ଗୁଣାରୁ ଅଧିକ ଅର୍ଥ ୧୨୦୨.୭୧ କୋଟି ଟଙ୍କା ପ୍ରଦାନ କରାଯାଇଛି।

ସେହିଭଳି ତୃତୀୟ ଅର୍ଥ କମିଶନ ଦ୍ବାରା ଅନୁମୋଦିତ ୬୭୮୭.୧୮ କୋଟି ଟଙ୍କାରୁ ମାତ୍ର ୩୧୨୦.୧୪ କୋଟି ଟଙ୍କା ଗ୍ରାମ ପଞ୍ଚାୟତମାନଙ୍କୁ ଦେଇଛନ୍ତି। ସେହିପରି ସହରାଞ୍ଚଳରେ ଅନୁଷ୍ଠାନମାନଙ୍କୁ ୧୫୬୮.୬୩ କୋଟି ଟଙ୍କା ଦିଆଯିବା ପାଇଁ ଅନୁମୋଦିତ ହୋଇଥିବା ସ୍ଥଳେ ୨୪୦୭.୪୨ କୋଟି ଟଙ୍କା ସରକାର ଦେଇଛନ୍ତି। ଅତଏବ, ସରକାର ଯଦି ପ୍ରକୃତ ଅର୍ଥ ପଞ୍ଚାୟତମାନଙ୍କୁ ହସ୍ତାନ୍ତର କରିବେ ନାହିଁ, ତାହାହେଲେ ପଞ୍ଚାୟତମାନେ ବିକାଶମୂଳକ କାର୍ଯ୍ୟଗୁଡ଼ିକୁ ଠିକ୍‌ ଭାବରେ ହାତକୁ ନେଇ ପାରିବେ ନାହିଁ।

ଦ୍ବିତୀୟରେ ଦେଖାଯାଏ ଯେ ଗ୍ରାମ ପଞ୍ଚାୟତଗୁଡ଼ିକ ନିଜସ୍ବ ସୂତ୍ରରୁ ଆୟ କରିବା ପାଇଁ ରାଜ୍ୟ ଅର୍ଥ କମିଶନ ପଞ୍ଚାୟତଗୁଡ଼ିକୁ କ୍ଷମତା ଦେଇଛନ୍ତି। କିନ୍ତୁ ସରକାରଙ୍କର ଇଚ୍ଛାଶକ୍ତିର ଅଭାବ ହେତୁ ଅନୁମୋଦିତ କ୍ଷେତ୍ରଗୁଡ଼ିକରୁ ପଞ୍ଚାୟତଗୁଡ଼ିକ ଟିକସ ଆଦାୟ କରିପାରୁ ନାହାନ୍ତି। ଦେଖାଯାଇଛି ଯେ ରାଜ୍ୟର ସମୁଦାୟ ୬ ହଜାରରୁ ଅଧିକ ପଞ୍ଚାୟତମାନଙ୍କର ମୋଟ ନିଜସ୍ବ ଆୟର ପରିମାଣ ୨୦୧୨-୧୩ ଆର୍ଥିକ ବର୍ଷରେ ମାତ୍ର ୨୩.୦୬ କୋଟି ଟଙ୍କା ଥିଲା। ଏଥିମଧ୍ୟରୁ ଟିକସ ସୂତ୍ରରୁ ମାତ୍ର ୪୨ ଲକ୍ଷ ଟଙ୍କା ଥିଲା। ଏଥିରୁ ଜଣାଯାଏ ଯେ ପଞ୍ଚାୟତଗୁଡ଼ିକ ରାଜ୍ୟ ସରକାରଙ୍କର ସମ୍ବଳ ଉପରେ ଅଧିକ ନିର୍ଭରଶୀଳ। ତେଣୁ ରାଜ୍ୟ ସରକାରଙ୍କ ଇଚ୍ଛା ମୁତାବକ ଯୋଜନାଗୁଡ଼ିକୁ ଖର୍ଚ୍ଚ କରିବା ପାଇଁ ପଞ୍ଚାୟତଗୁଡ଼ିକ ବ୍ୟବହାର କରାଯାଇଛି। ଏପରି ପଞ୍ଚାୟତଗୁଡ଼ିକୁ ସମ୍ବଳ ବିନା ତଥାକଥିତ କ୍ଷମତା ଦେଲେ ଗ୍ରାମୀଣ କ୍ଷେତ୍ରରେ ପ୍ରକୃତ ବିକାଶ ଲକ୍ଷ୍ୟ ସାଧନ ହୋଇପାରିବ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?