Pratinidhi Odia

ରାଜନୈତିକ ଷଡ଼ଯନ୍ତ୍ର: ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମହିଳାଙ୍କୁ ଆକ୍ରମଣ

ପୀଡ଼ା ବଖାଣିଲେ ପାର୍ବତୀ ସାସମଲ: ମୋଦିଙ୍କୁ ଗୁହାରି କରିବାରୁ ଖାଇଲି ମାଡ଼

ମାଡ଼ ଖାଇଥିବା ଯମୁନା ମଣ୍ଡଳ ଓ ପାର୍ବତୀ ସାସମଲ
ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ କାର୍ଯ୍ୟକାରୀ ମୁଖ୍ୟ। ସେ ଯେ କୌଣସି ରାଜନୈତିକ ଦଳର ହୁଅନ୍ତୁ ନା କାହିଁକି, ସେ ପ୍ରଥମେ ଦେଶର ପ୍ରଧାନମନ୍ତ୍ରୀ। ଦେଶବାସୀଙ୍କ ସୁଖ ଦୁଃଖ ବୁଝିବା ତାଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ। ତାଙ୍କୁ ଭେଟି ନିଜ ଦୁଃଖ ଜଣାଇବା କ’ଣ ଅପରାଧ? କିନ୍ତୁ ଠିକ୍‌ ଏମିତି କିଛି ଘଟିଛି ଜଗତସିଂହପୁର ଜିଲାର କାଳିକୁଦ ଗାଁର ପାର୍ବତୀ ସାସମଲଙ୍କ କ୍ଷେତ୍ରରେ। ଭୁବନେଶ୍ବରଠାରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗଦେବାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍‌ ଶୋ’ ସମୟରେ ପାର୍ବତୀ ତାଙ୍କୁ ଭେଟି ଏକ ଚିଠି ଜରିଆରେ ନିଜ ଦୁଃଖ ଜଣାଇଥିଲେ। ପରବର୍ତ୍ତୀ ସମୟରେ ଏହା ତାଙ୍କୁ ଭାରି ପଡ଼ିଛି। ତାଙ୍କ ଉପରେ ଆକ୍ରମଣ ହୋଇଥିବା ସତ୍ତ୍ବେ ଏହାର ଏତଲା ରଖାଯାଇ ନାହିଁ। ଏହା ପଛରେ ବିଜେଡି ନେତାଙ୍କ ସମ୍ପୃକ୍ତି ଥିବା ଖୋଦ ପାର୍ବତୀ ଅଭିଯୋଗ କରିଛନ୍ତି। ଏହା ରାଜନୈତିକ ଷଡ଼ଯନ୍ତ୍ର ନୁହେଁ ତ ଆଉ କ’ଣ?

ଗାଁଦାଣ୍ଡରେ ଖାଇଲି ମାଡ଼। ଚୁଟି ଘୋଷାରି ବିଧା ଗୋଇଠା ମରାଗଲା। ପୋଲିସ ଏତଲା ରଖିଲାନି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଭୁବନେଶ୍ବର ଯାଇଥିଲି। ରୋଡ୍‌ ଶୋ ସମୟରେ ମୋଦିଙ୍କୁ ଦରଖାସ୍ତ ଦେଇ ଗାଁକୁ ଫେରିବା ପରେ ମୋ ଉପରେ ହେଲା ଦ୍ବିତୀୟ ଥର ଆକ୍ରମଣ। କୋଉ ମୋଦି ରଖିବ ରଖୁ କହି ଠେଙ୍ଗା ବାଡ଼ିରେ ପିଟିଲେ ଦାସମଠ ଗାଁର ଲୋକ। ସେମାନଙ୍କ ଏଭଳି ଆକ୍ରମଣ ପଛରେ ବିଜେଡିର ଜପା ଓ କୁଞ୍ଜକୋଠି ପଞ୍ଚାୟତର ସରପଞ୍ଚ ସମ୍ପୃକ୍ତ ବୋଲି ଆମ ପ୍ରତିନିଧି ଦିଲୀପ ସୁବୁଦ୍ଧିଙ୍କ ଆଗରେ ନିଜ ଦୁଃଖ ବଖାଣିଛନ୍ତି ଜଗତସିଂହପୁର ଜିଲା ଏରସମା ଥାନା କୁଞ୍ଜକୋଠି ପଞ୍ଚାୟତ ଅନ୍ତର୍ଗତ କାଳିକୁଦ ଗାଁର ବାସିନ୍ଦା ପାର୍ବତୀ ସାସମଲ।

ଏପରି ଏକ ଖବର ପାଇବା ପରେ ଆମ ପ୍ରତିନିଧି ପହଞ୍ଚିଥିଲେ କାଳିକୁଦ ଗାଁରେ। ୧୮ ଏପ୍ରିଲ ମଙ୍ଗଳବାର ଅପରାହ୍ନ ୩ଟା ୩୦ ହେବ। ତିର୍ତ୍ତୋଲ ଏସ୍‌ଡିପିଓ ଏସି ସି ମଲ୍ଲିକ ସଦଳବଳ ଗାଁରେ ପହଞ୍ଚି ଅଭିଯୋଗକାରିଣୀ ପାର୍ବତୀ ସାସମଲକୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରୁଥାନ୍ତି। ଗୋଟିଏ ପ୍ରଶ୍ନକୁ ବାରମ୍ବାର ଏପଟ ସେପଟ କରି ପଚାରୁଥିବା ବେଳେ ଯେଉଁଠି ପାର୍ବତୀ କହିବା ଝୁଣ୍ଟୁ ଥାନ୍ତି, ସେଇ ସମୟରେ ଆଇଆଇସି ବିଚିତ୍ରାନନ୍ଦ ସେଠୀ ନିଜ ମୋବାଇଲରେ ରେକର୍ଡ କରୁଥାନ୍ତି। ମଝିରେ ମଝିରେ ଏସ୍‌ଡିପିଓଙ୍କ ଉଦ୍ଦେଶ୍ୟରେ କହୁଥାନ୍ତି, ସାର୍‌ ଏମାନେ ଲାୟର। କିଛି ହୋଇନି। ଡାହା ମିଛ କହୁଛନ୍ତି। ଏସ୍‌ଡିପିଓ ଗୋଟିଏ ଚେୟାରରେ ବସିଥାଆନ୍ତି। ଗ୍ରାମବାସୀ ଚାରିପଟେ ଘେରି ଠିଆ ହୋଇଥାନ୍ତି।
ପାର୍ବତୀ ସ୍ପଷ୍ଟ ଭାବେ କହୁଥାନ୍ତି, ଆଜ୍ଞା ମୁଁ ଗରିବ ଲୋକ। ଛେଳି ପାଳି ପରିବାର ଚଳାଏ। ଏପ୍ରିଲ ୬ ତାରିଖ ଦିନ ମୋର ଦୁଇଟି ଛେଳି ଫିଟିଯାଇଥିଲେ। ଖୋଜି ଖୋଜି ଗଲି। କାଜୁ ଜଙ୍ଗଲରୁ ଓଡ଼ାଇ ଫେରୁଛି। ବାବୁଲି ମାଇତି, ନଟ ମଣ୍ଡଳ, ଦେବା ମାଇତି, ସୁକୁମାର ଗାହାଣ ମୋତେ ଅଟକାଇଲେ। କାଜୁ ଜଙ୍ଗଲକୁ କାହିଁକି ଯାଇଥିଲୁ କହି ଗାଳିଗୁଲଜ କଲେ। ମୋ ଚୁଟି ଘୋଷାରି ତଳେ ପକାଇଦେଲେ। ଗୋଇଠା ମାରିଲେ। ମୁଁ ପାଟି କରିବାରୁ ମୋ ପୁତୁରା ଶମ୍ଭୁ ଜେନା ଓ ଭଣଜା ପ୍ରହଲ୍ଲାଦ ଜେନା ଦୌଡ଼ି ଆସିଲେ।

ଆମେ ଥାନାକୁ ଗଲୁ। ଜଣେ ଝିଅ ଓ ଆଉ ଜଣେ ଲମ୍ବା ପୋଲିସ ଥିଲେ। କହିଲେ ଯେମିତି ଆସିଥିଲ, ସେମିତି ପଳାଅ। ରିପୋର୍ଟ ରଖ ଓ କପି ଦିଅ କହିବାରୁ ସେମାନେ କହିଲେ, କିଏ ଶିଖାଇଛି କୁହ ତା କଥା ଆଗ ବୁଝାଯିବ। ମୋ କଥା ଆଜ୍ଞା ବୁଝି ନ ଥିଲେ। ଭୟ, ଅପମାନ ମୋତେ ବାଧୁଥିଲା। ଭଉଣୀକୁ କହିଲି, ଟିଭିରୁ ଶୁଣିଲି ମୋଦି ଆସୁଛନ୍ତି। ଶୁକ୍ରବାର ଦିନ ଭୁବନେଶ୍ବର ଗଲୁ ଓ ଶନିବାର ଦିନ ରୋଡ୍‌ ଶୋ ବେଳେ ମୋଦିଙ୍କୁ ଦରଖାସ୍ତ ଦେଇଥିବା କହିଥିଲେ ପାର୍ବତୀ ସାସମଲ।

ଭାବିଥିଲି ମୋଦିଙ୍କୁ ଗୁହାରି କରିବା ପରେ ଦୁଃଖ ହଟିବ, ହେଲେ ହେଲା ଓଲଟା। ମୋତେ ଆଗରୁ ପିଟିଥିବା ଲୋକେ ଏକଥା ଜାଣିଯିବା ପରେ ଠେଙ୍ଗା ବାଡ଼ି ଧରି ଗାଁ ଭିତରକୁ ପଶିଆସିଲେ। ତମର ସବୁ ଭାରି ସାହସ। ଏଥର ତମକୁକିଏ ରଖିବ ଦେଖିବା କହି ଯିଏ ଯାହାକୁ ପାରିଲା ପିଟିବାକୁ ଗୋଡ଼ାଇଲା। ସେମାନଙ୍କ ଠେଙ୍ଗାମାଡ଼ରେ ନିରଞ୍ଜନ ସ୍ବାଇଁଙ୍କ ହାତ ଭାଙ୍ଗିଲା। ପିନୁ ସ୍ବାଇଁଙ୍କ ମୁଣ୍ଡ ଫାଟିଲା। ଯମୁନା ମଣ୍ଡଳଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ଜଗତସିଂହପୁର ଓ ପରେ କଟକ ପଠାଗଲା।

ଏସବୁ ଘଟଣା ପଛରେ କୁଞ୍ଜକୋଠି ସରପଞ୍ଚ ସନ୍ଧ୍ୟାରାଣୀ ସ୍ବାଇଁଙ୍କ ଶ୍ବଶୁର ବିଷ୍ଣୁଚରଣ ସ୍ବାଇଁ ଓ ଜପାର ବିଜେଡି ସରପଞ୍ଚ ତପନ ଗୋଚ୍ଛାୟତଙ୍କ ପ୍ରଚ୍ଛନ୍ନ ଭୂମିକା ଥିବା ପୋଲିସ ନିକଟରେ କହିଥିଲେ କାଳିକୁଜର ଜଣେ ବାସିନ୍ଦା ବାବୁ ମାଝୀ। ବାବୁଙ୍କ କହିବା କଥାହେଲା, ଏହାପଛରେ ରାଜନୈତିକ ଷଡ଼ଯନ୍ତ୍ର ରହିଛି। ଗତ ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେପି ସମର୍ଥିତ ଜଣେ ପ୍ରାର୍ଥୀ ଏଠାରୁ ୪୫୦ ଭୋଟ ହାତେଇ ନେବାରୁ ସେମାନଙ୍କ ରାଗ କାଳିକୁଜ ଗାଁ ଉପରେ ଥିଲା। ଛେଳି କାଜୁବାଦାମ ଫସଲ ଖାଇବାର ବାହାନା କରି ସେମାନେ ପ୍ରଥମ ଥର ଆକ୍ରମଣ କଲେ ଓ ମୋଦିଙ୍କୁ କାହିଁକି ଜଣାଇଲ କହି ଦ୍ବିତୀୟ ଥର ଆକ୍ରମଣ କରାଯାଇଥିବା ଗ୍ରାମବାସୀ ପୋଲିସକୁ ଜଣାଇଥିଲେ।

ତିର୍ତ୍ତୋଲ ଏସ୍‌ଡିପିଓ ବାରମ୍ବାର ପଚାରି ଟିପାଖାତାରେ ଲେଖି ସାରି ଶେଷରେ କହିଲେ, ତମେ ସବୁ ପରବୁଦ୍ଧିରେ ପଡ଼ୁଛ। ଦିଲ୍ଲୀରୁ ତମକୁ କିଏ ରଖିବେନି। ମିଳାମିଶା କରିଦିଅ। ବ୍ଲକ ଚେୟାରମ୍ୟାନ, ଦୁଇ ସରପଞ୍ଚଙ୍କୁ ମୁଁ କଥା ଦେଇଛି। ସେମାନେ ମିଳାମିଶା ପାଇଁ ୭ ଦିନ ସମୟ ଦେଇଛନ୍ତି, ମିଳାମିଶା ଯଦି କରି ନ ଥାଅ, ତେବେ ଉଭୟ ଗାଁରୁ ୪ ଜଣଙ୍କୁ ଗିରଫ କରି ପଠାଇଦେବି। ପୋଲିସ ଗାଁରୁ ଫେରିବା ପରେ ଲୋକଙ୍କ ମନରେ ଭୟ ଖେଳିଯାଇଥିଲା। ମାଡ଼ ଖାଇ ଅଭିଯୋଗ ପରେ କ’ଣ ଜେଲ୍‌ ଯିବାକୁ ପଡ଼ିବ କି ବୋଲି ଲୋକେ ଆଲୋଚନା କରୁଥିଲେ। ଗାଁରେ ଭୟର ପରିବେଶ। ଝଡ଼ି ପଡ଼ୁଥିବା କାଜୁ ଗୋଟାଯାଇପାରୁ ନ ଥିବାରୁ ତଳେ ପଡ଼ି ନଷ୍ଟ ହେଉଥିବା ବେଳେ ମାଡ଼ ଖାଇଥିବା ଲୋକଙ୍କୁ ଘାରିଛି ପୋଲିସ ଭୟ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?