Pratinidhi Odia

ମିଶନ ୨୦୧୯ ପାଇଁ ବାଜିଲା ବିଗୁଲ

ଓଡ଼ିଶାକୁ ବିକାଶର ପ୍ରୟୋଗଶାଳା କରିବା ବିଜେପିର ଲକ୍ଷ୍ୟ

ଭୁବନେଶ୍ବରଠାରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଆଗମନ ପରେ ଆୟୋଜିତ ବିଶାଳ ବାଇକ୍‌ ରାଲି
ଭୁବନେଶ୍ବର: ୨୦ ବର୍ଷ ପରେ ଭୁବନେଶ୍ବରରେ ବିଜେପି ଆୟୋଜନ କରିଛି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଶୁକ୍ରବାର ପହଞ୍ଚିଛନ୍ତି। ବିମାନବନ୍ଦରରେ ୧୪୭ ବିଧାନସଭା ଆସନର ପ୍ରତୀକ ସ୍ବରୂପ ତାଙ୍କୁ ୧୪୭ଟି ପଦ୍ମର ହାର ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ପିନ୍ଧାଇବା ପରେ ଲୋକସଭା ଆସନ ସଂଖ୍ୟା ୨୧ର ସୂଚକ ଭାବେ ୨୧ଟି ପଦ୍ମର ହାର ଅମିତଙ୍କ ଗଳାରେ ପିନ୍ଧାଇଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

୨୦୧୯ ମିଶନ ଓଡ଼ିଶାର ବିଗୁଲ ବଜାଇଛି ରାଜ୍ୟ ବିଜେପି। ୨୦ ହଜାରରୁ ଊର୍ଦ୍ଧ୍ବ ଯୁବମୋର୍ଚ୍ଚାର ସଦସ୍ୟମାନେ ଏକ ବର୍ଣ୍ଣାଢ଼୍ୟ ବାଇକ୍‌ ଶୋଭାଯାତ୍ରାରେ ଅମିତଙ୍କୁ ପାଛୋଟି ନେଇଥିଲେ। ଆସନ୍ତାକାଲି ବାୟୁସେନାର ସ୍ବତନ୍ତ୍ର ବିମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ଭୁବନେଶ୍ବରରେ ପହଞ୍ଚିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୧୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀ, ୬ ଉପମୁଖ୍ୟମନ୍ତ୍ରୀ, ୪୦ କେନ୍ଦ୍ରମନ୍ତ୍ରୀ ଓ ୩୫୦ରୁ ଊର୍ଦ୍ଧ୍ବ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ମାନସ ମନ୍ଥନରେ ଯୋଗେଦେବେ। ପ୍ରଧାନମନ୍ତ୍ରୀ ପୂରା ୨୫ ଘଣ୍ଟା ଓଡ଼ିଶାରେ ରହିବେ। ଲିଙ୍ଗରାଜ ମନ୍ଦିରରେ ବାବା ଲିଙ୍ଗରାଜଙ୍କ ଆଶୀର୍ବାଦ ନେବା ସହ ରାଜଭବନ ପରିସରରେ ପାଇକ ବିଦ୍ରୋହରେ ସମ୍ପୃକ୍ତ ସଂଗ୍ରାମୀଙ୍କ ଉତ୍ତର ଦାୟାଦଙ୍କୁ ସମ୍ବର୍ଦ୍ଧିତ କରିବେ ମୋଦି।

ଓଡ଼ିଶାକୁ ବିକାଶର ପ୍ରୟୋଗଶାଳା କରିବା ପାଇଁ ବଦ୍ଧ ପରିକର ବିଜେପି ବୋଲି କହିଛନ୍ତି କେନ୍ଦ୍ର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଆ ନୂଆବର୍ଷ ପ୍ରାରମ୍ଭରୁ ଓଡ଼ିଆରେ ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି ମୋଦି। ଓଡ଼ିଶାରେ କ୍ଷମତା ଦଖଲ ପାଇଁ ବିଜେପି ଉତ୍ସାହିତ। ଏହା ବେଶ୍‌ ବାରି ହୋଇପଡ଼ିଛି କାର୍ଯ୍ୟକାରିଣୀର ଆୟୋଜନରେ।

ବକ୍ସି ଜଗବନ୍ଧୁ, ଚନ୍ଦନ ହଜୁରୀ, ତାପଙ୍ଗ ଦଳବେହେରା, ରେଣ୍ଡୋ ମାଝୀ, ଚକରା ବିଷୋୟୀ, ଦିବାକର ପରିଡ଼ା, ରଘୁନାଥ ମହାନ୍ତି, ପିଣ୍ଡିକି ବାହୁବଳେନ୍ଦ୍ର, ଲକ୍ଷ୍ମଣ ନାୟକ, ଲକ୍ଷ୍ମୀ ପଣ୍ଡା, କୃତିବାସ ପାଟଶାଣୀଙ୍କ ଉତ୍ତର ଦାୟାଦମାନଙ୍କୁ ସମ୍ବର୍ଦ୍ଧିତ କରି ପ୍ରଧାନମନ୍ତ୍ରୀ ବ୍ରିଟିଶ ବିରୋଧରେ ଓଡ଼ିଆଙ୍କ ବୀରତ୍ବକୁ ସ୍ବୀକୃତି ଦେଇ ଓଡ଼ିଆଙ୍କ ହୃଦୟକୁ ଜିତିବାର ପ୍ରୟାସ କରିବେ।

ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ଜନତା ମଇଦାନ ସଭାସ୍ଥଳୀକୁ ସନ୍ଥ ଭୀମଭୋଇଙ୍କ ନାମରେ ନାମିତ କରାଯାଇଛି। ମଞ୍ଚରେ ପାରମ୍ପରିକ ଚିତ୍ରକଳାର ଛାପ ରହିଛି। ଅତିଥିମାନେ ଓଡ଼ିଆ ବ୍ୟଞ୍ଜନ ଉପଭୋଗ କରିବେ। ମୋଟାମୋଟି ଭାବେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଓଡ଼ିଶା ଓ ଓଡ଼ିଆଙ୍କ ଖାଦ୍ୟ, କଳା, ସଂସ୍କୃତି, ବୀରତ୍ବ, ଐତିହ୍ୟ ଆଦି ପ୍ରତ୍ୟେକ କ୍ଷେତ୍ରକୁ ଗୁରୁତ୍ବ ଦେଇ ୨୦୧୯ ମିଶନ ଓଡ଼ିଶାର ଅଭିଯାନର ବାର୍ତ୍ତା ଦେଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?