Pratinidhi Odia

କଠୁଆ ଗଣଦୁଷ୍କର୍ମ ଘଟଣାରେ ରାଷ୍ଟ୍ରପତିଙ୍କ ଉଦ୍‌ବେଗ


ଜମ୍ମୁ: ନିକଟରେ ସାମ୍ନାକୁ ଆସିଥିବା କଠୁଆ ଗଣଦୁଷ୍କର୍ମ ଘଟଣା ସମଗ୍ର ଦେଶକୁ ଆଲୋଡ଼ିତ କରିଥିବା ବେଳେ ଯୌନ ପିପାସୁଙ୍କ ବୀଭତ୍ସ ମାନସିକତାକୁ ପଦାରେ ପକାଇଛି। ୮ ବର୍ଷୀୟ ନାବାଳିକାଙ୍କୁ ପବିତ୍ର ଦେବୀପୀଠର ସେବାକାର ଓ ତାଙ୍କର ସହଯୋଗୀମାନେ ସପ୍ତାହେରୁ ଊର୍ଦ୍ଧ୍ବ ସମୟ ଧରି ବନ୍ଦୀ କରି ରଖିବା ପରେ ତାଙ୍କ ସହ ଦୁଷ୍କର୍ମ କରିବା ଘଟଣାକୁ ସଭ୍ୟ ସମାଜ ସହଜରେ ଗ୍ରହଣ କରିପାରୁ ନ ଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏପରି ଏକ ସମ୍ବେଦନଶୀଳ ଘଟଣା ସ୍ବାଧୀନତାର ୭୦ ବର୍ଷ ପରେ ଘଟିବା ନେଇ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସ୍ଥାନୀୟ କାଟ୍ରା ସହରରେ ଥିବା ଶ୍ରୀ ମାତା ବୈଷ୍ଣୋଦେବୀ ବିଶ୍ବବିଦ୍ୟାଳୟର ଷଷ୍ଠ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ଅବସରରେ ନିଜ ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି ଯେ ଦେଶର ସ୍ବାଧୀନତାକୁ ୭୦ ବର୍ଷ ପୂରିଥିଲେ ବି କଠୁଆ ପରି ଘଟଣା ଆମ ପାଇଁ ଲଜ୍ଜାଜନକ। ଏଥିରୁ ଆମେ ସ୍ପଷ୍ଟ ଯେ ଆମେ ବର୍ତ୍ତମାନ ସମୟରେ କିପରି ସମାଜରେ ବସବାସ କରୁଛେ। କେଉଁ ପ୍ରକାର ସମାଜରେ ଆମେ ବସବାସ କରିବା ଉଚିତ ସେ ନିଷ୍ପତ୍ତି ଆମେ ନିଜେ ନେବା ଦରକାର ଓ ଅନୁରୂପ ଭାବେ ସମାଜ ଗଠନ କରିବା ଆମର ପ୍ରମୁଖ ଦାୟିତ୍ବ। ଆଗାମୀ ଦିନରେ କୌଣସି କନ୍ୟା ବା ଭଉଣୀ ଯେପରି ଏପରି ଦୁଷ୍କର୍ମର ଶିକାର ନ ହୁଅନ୍ତି, ତାହା ନିଶ୍ଚିତ କରିବା ଆମର ପ୍ରାଥମିକ କର୍ତ୍ତବ୍ୟ ବୋଲି ରାଷ୍ଟ୍ରପତି କହିଛନ୍ତି।

ଦୁଇଦିନିଆ ଜମ୍ମୁ ଗସ୍ତରେ ଆସିଥିବା ରାଷ୍ଟ୍ରପତି ନିଜର ଭବିଷ୍ୟ ପିଢ଼ିକୁ ସୁରକ୍ଷା ଦେଇପାରିଲେ ହିଁ ଆମେ ଏକ ସଭ୍ୟ ଓ ନିରାପଦପୂର୍ଣ୍ଣ ସମାଜ ଗଠନ କରିପାରିବା ବୋଲି ମତ ଦେଇଛନ୍ତି। ରାଷ୍ଟ୍ରପତି ଏଠାରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ଏନ୍‌ଏନ୍‌ ବୋହରା ଓ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ସ୍ବାଗତ କରିଥିଲେ। ସୂଚନାଯୋଗ୍ୟ ଯେ କଠୁଆ ଗଣଦୁଷ୍କର୍ମ ମାମଲାରେ ପୋଲିସ୍‌ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ବିରୋଧରେ ମାମଲାର ବିଚାର ଆରମ୍ଭ ହୋଇଛି ଓ ଆସନ୍ତା ୨୮ ତାରିଖରେ କଠୁଆ କୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ଜନମତ

କୁଳଭୂଷଣ ଯାଦବଙ୍କୁ ନିର୍ଯାତନା ଦେବା ସହ ପାକିସ୍ତାନ ଅମାନବୀୟ ଆଚରଣ ପ୍ରଦର୍ଶନ କରୁଛି ଏବଂ ଏହାକୁ ଘୋଡ଼ାଇବା ପାଇଁ କୁଟନୈତିକ ଚାଲ୍‌ ଖେଳି ଚାଲିଛି। ଏଥିରେ ଆପଣ ଏକ ମତ ତ!