Pratinidhi Odia

ଉତ୍କଳ : ହାତଛଡ଼ା ହୋଇଯାଉଛି ଅନେକ କଷ୍ଟର ଫଳ

ସୀମାରେ ଭାଷା ବଞ୍ଚାଇବାକୁ ସଂଘର୍ଷ ଅଥଚ ରାଜ୍ୟରେ ଓଡ଼ିଆ ଭାଷା ପ୍ରତି ଅନାସକ୍ତି

ଭୁବନେଶ୍ବର: ଓଡ଼ିଶା ଓ ଓଡ଼ିଆମାନଙ୍କ ସ୍ବାର୍ଥରକ୍ଷା ପାଇଁ ଗଢ଼ା ଯାଇଥିଲା ଉତ୍କଳ ସମ୍ମିଳନୀ। କଟକ ଇଦ୍‌ଗା ପଡ଼ିଆରେ ଫୁଙ୍କା ଯାଇଥିଲା ଏହାର ପ୍ରଥମ ବିଗୁଲ୍‌। ଉତ୍କଳର ମହାମନିଷୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାଶ, ପଣ୍ଡିତ ନୀଳକଣ୍ଠ ଦାସ, ଗୋଦାବରୀଶ ପ୍ରମୁଖ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ସାଧନା ଓ ସଂଘର୍ଷ ଅବ୍ୟାହତ ରଖିଥିଲେ। ବର୍ଷ ବର୍ଷର ପ୍ରୟାସ ଫଳବତୀ ହେଲା। ଓଡ଼ିଶାକୁ ମିଳିଲା ପ୍ରଥମ ଭାଷା ଭିତ୍ତିକ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା।

କିନ୍ତୁ ଦୁର୍ଭାଗ୍ୟର କଥା ଯେ ୮୧ ବର୍ଷର ସ୍ବତନ୍ତ୍ର ରାଜ୍ୟ ଗଠନ ପରେ ଓଡ଼ିଶାର ୩ କୋଟି ୩୨ ଲକ୍ଷ ଲୋକଙ୍କ ସଂସ୍କୃତି ସମ୍ପନ୍ନ ଭୂଖଣ୍ଡ ଏବେ ବିପନ୍ନ ହେବାକୁ ଲାଗିଛି। ହାତଛଡ଼ା ହେବାରେ ଲାଗିଛି ବହୁକଷ୍ଟର ଫଳ। ଶାସ୍ତ୍ରୀୟ ମାନ୍ୟତା ମିଳିଥିବା ସତ୍ତ୍ବେ ନିଜ ଭାଷାର ସୁରକ୍ଷା ପାଇଁ ଓଡ଼ିଶାକୁ ନିଜ ଲୋକଙ୍କ ସହ ଲଢ଼ିବାକୁ ପଡ଼ୁଛି। ପଡ଼ୋଶୀମାନେ ବି ମାଡ଼ି ମାଡ଼ି ଆସିଲେଣି।

ଗୋଟିଏ ପଟେ ଆନ୍ଧ୍ରପ୍ରଦେଶ ତ ଆଉ ଗୋଟିଏ ପଟେ ପଶ୍ଚିମବଙ୍ଗ ମାଡ଼ି ମାଡ଼ି ଆସୁଛନ୍ତି। କୋରାପୁଟ, ଗଜପତି, ଗଞ୍ଜାମ ଓ ବାଲେଶ୍ବରର ଅନେକ ଗାଁରେ ତେଲୁଗୁ ଓ ବଙ୍ଗଳାର ଆଧିପତ୍ୟ ବଢ଼ି ବଢ଼ି ଚାଲିଛି। ଗଞ୍ଜାମ-ଆନ୍ଧ୍ର ସୀମାନ୍ତ ପାତ୍ରପୁର ତହସିଲର ବିଭିନ୍ନ ଗାଁରେ ଆନ୍ଧ୍ର ପ୍ରଶାସନର ହୁକୁମ ଚାଲିଛି। ଓଡ଼ିଶା ଗାଁ ଗୁଡ଼ିକରେ ପାଳନ ହେଉଛି ତେଲୁଗୁ ପର୍ବ। ଖାଉଟି ସାମଗ୍ରୀ, ବିଜୁଳି, ପାଣି, ସଡ଼କ, ଇନ୍ଦିରା ଆବାସ ପାଇଁ ଓଡ଼ିଆ ଲୋକ ଆନ୍ଧ୍ର ପ୍ରଶାସନର ସହଯୋଗ ଲୋଡ଼ୁଛି। ତେଣେ ବାଲେଶ୍ବର ଜିଲାର ସୀମାନ୍ତ ଗାଁ ଗୁଡ଼ିକରେ ଲୋକେ ବଙ୍ଗଳାରେ ବେଶୀ ଓଡ଼ିଆରେ କମ୍‌ କଥାବାର୍ତ୍ତା କରୁଛନ୍ତି।

ଗଞ୍ଜାମ ଜିଲାର ଚିକିଟି, ପାତ୍ରପୁର, ଜୟନ୍ତୀପୁର ଆଦି ଗାଁଗୁଡ଼ିକରେ ତେଲୁଗୁ ଭାଷାରେ ପାଠପଢ଼ିବାର ଆଗ୍ରହ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଗୁଣ୍ଡୁରା, ବାରଙ୍ଗ, କେଶରୀପଡ଼ା, ଜୟନ୍ତୀପୁର, ଗୁଡ଼ିପଦର ଆଦି ଗାଁ ଗୁଡ଼ିକରେ ଓଡ଼ିଶା ପ୍ରଶାସନ ପହଞ୍ଚି ପାରୁ ନ ଥିବା ବେଳେ ଆନ୍ଧ୍ର ସରକାର ଅନେକ ବିକାଶମୂଳକ ପ୍ରକଳ୍ପ କରି ଲୋକପ୍ରିୟତା ଅର୍ଜନ କରିଛି।

ସୀମାରେ ଭାଷା ବଞ୍ଚାଇବାକୁ ସଂଘର୍ଷ ଚାଲିଥିବା ବେଳେ ରାଜ୍ୟ ଭିତରେ ଓଡ଼ିଆ ଭାଷା ପ୍ରତି ଅନାସକ୍ତ ଭାବ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସଂଖ୍ୟା ବଢ଼ୁଛି। ଓଡ଼ିଆ ଲେଖୁଥିବା ସଂଖ୍ୟା ଧୀରେ ଧୀରେ କମୁଛି। ଯଦି ବର୍ତ୍ତମାନଠାରୁ ପଦକ୍ଷେପ ନିଆ ନ ଯାଏ, ତେବେ ବହୁ କଷ୍ଟର ଫଳ ସ୍ବତନ୍ତ୍ର ଭାଷା ଭିତ୍ତିକ ରାଜ୍ୟ ନିଷ୍ଫଳ ସାବ୍ୟସ୍ତ ହେବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?