Pratinidhi Odia

କଳା ଓ ସଂସ୍କୃତି

ଆରମ୍ଭ ହେଲା ଭରତ ମୁନୀ ଉତ୍ସବ

ଭୁବନେଶ୍ବର: ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଭରତ ମୁନୀ ମହୋତ୍ସବ। ଉତ୍ସବର ପ୍ରଥମ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ଗୁରୁ ପୁଷ୍ପିତା ମିଶ୍ର ଓ ତାଙ୍କ ସାଥୀମାନେ ‘ଯୁଗେ ଯୁଗେ ପରବ୍ରହ୍ମ’ ପରିବେଷିତ କରିଥିଲେ। ମହାପ୍ରଭୁଙ୍କ ୪ ଯୁଗର ଚାରି ଲୀଳା ଯଥା ପ୍ରହ୍ଲାଦ ଉଦ୍ଧାର, ଅହଲ୍ୟା ଉଦ୍ଧାର, ରାସଲୀଳା ଓ ମାହାରୀ ଆଦିର ସଂଯୋଜନାରେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ ଶିଳ୍ପୀ। ଏହାପରେ ଏହା ପରେ ଜି.ରଥୀଶ୍‌ ବାବୁ ‘ନୀଳ କଣ୍ଠ’ ଓ ଗୀତଗୋବିନ୍ଦର ‘ଧୀର ସମୀରେ’କୁ ଭାରତନାଟ୍ୟମ୍‌ ନୃତ୍ୟ ଶୈଳୀରେ ପରିବେଷଣ କରିଥିଲେ। ଏହାପରେ ସାଇଜା ବିନେଶ୍‌ ମୋହିନୀ ଆଟ୍ଟମ୍‌ ନୃତ୍ୟରେ ‘ଗଣପତି ବନ୍ଦନା’ ଓ ‘ଉର୍ବଶୀଙ୍କ ଅଭିଶାପରେ ଅର୍ଜୁନଙ୍କ ବୃହନ୍ନଳା ରୂପ’କୁ ପ୍ରଦର୍ଶିତ କରିଥିଲେ। ମହୋତ୍ସବର ଶେଷରେ ଶାସ୍ତ୍ରୀୟ, ପାରମ୍ପରିକ ଏବଂ ଲୋକବାଦ୍ୟର ସମାହାରରେ ଗୁରୁ ରାମଚନ୍ଦ୍ର ବେହେରା ପରିବେଷଣ କରିଥିଲେ ‘ଧ୍ୱନୀ’।

ତାନସେନ୍ ସିଂ ଫାଉଣ୍ଡେସନ୍‌ର ଦ୍ୱିତୀୟ ବାର୍ଷିକ ଉତ୍ସବ

ଭୁବନେଶ୍ୱରର ଜୟଦେବ ଭବନଠାରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ତାନସେନ୍ ସିଂ ଫାଉଣ୍ଡେସନ୍‌ର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଫାଉଣ୍ଡେସନ୍‌ର କାର୍ଯ୍ୟନିର୍ବାହୀ ସଭାପତି ଶେଖ୍ ରିଆଜ ମହମ୍ମଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ସମ୍ମାନିତ ଅତିଥିଭାବେ ମହିଳା ଓ ଶିଶୁ ବିକାଶ, ଏମ୍ଏସ୍ଏମ୍ଇ ତଥା ଭିନ୍ନକ୍ଷମ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋଇ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ବିଶିଷ୍ଟ କଣ୍ଠଶିଳ୍ପୀ, ସଙ୍ଗୀତ ଗୁରୁ ତଥା ଅବସରପ୍ରାପ୍ତ ଅଧ୍ୟାପକ ଡ. ଚିରଞ୍ଜନ ପାଣିଙ୍କୁ ମୁଖ୍ୟ ଅତିଥି ତାନ୍‌ସେନ୍‌ ସିଂ ସମ୍ମାନ-୨୦୧୭ ପ୍ରଦାନ କରାଯାଇଥିଲା।

ଓଡିଶୀ ଓ ମୋହିନୀଆଟ୍ଟମ୍ ନୃତ୍ୟରେ ତରଙ୍ଗାୟିତ କୋଣାର୍କ

ସେପଟେ ଚନ୍ଦ୍ରଭାଗା ଜଳରାଶିରେ ସୃଷ୍ଟ ତରଙ୍ଗ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥିଲା! ଆଉ ମୁକ୍ତାକାଶ ମଞ୍ଚରେ ଶାସ୍ତ୍ରୀୟ ନୃତ୍ୟର ତରଙ୍ଗ ବାନ୍ଧିରଖିଥିଲା ଦର୍ଶକଙ୍କୁ। ଅବସର ଥିଲା ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ କୋଣାର୍କ ଉତ୍ସବର ଉଦ୍‌ଯାପନୀ ସନ୍ଧ୍ୟା। ବିଶ୍ୱ ଐତିହ୍ୟର ସ୍କାରକୀ ତ୍ରୟୋଦଶ ଶତାଦ୍ଧୀ ନିର୍ମିତ କୋଣାର୍କ ମନ୍ଦିରର ସୁଦୃଶ୍ୟ ପାଦଦେଶରେ ଓଡିଶା ପର୍ଯ୍ୟଟନ ନିବେଦିତ କୋଣାର୍କ ଉତ୍ସବର ଉଦ୍‌ଯାପନୀ ଲଗ୍ନର ପ୍ରଥମ ଉପସ୍ଥାପନ ଥିଲା ମୋହିନୀଅଟ୍ଟମ୍। ନାଳନ୍ଦା ଡ୍ୟାନ୍ସ ରିସର୍ଚ୍ଚ ସେଣ୍ଟର, ମୁମ୍ବାଇର ଶିଳ୍ପୀ ଓ ଡ.କନକ ରେଲେଙ୍କ ପରିବେଷଣରେ ଉଚ୍ଚାଟିତ ହୋଇଥିଲେ ଦର୍ଶକଗଣ। ମୋହିନୀଅଟ୍ଟମ ଶୈଳୀରେ ପ୍ରଥମେ ଗଣପତି-ଆବାହନୀ ସ୍ତବକ ଓ ପରେ ପରେ ଶ୍ରୀଗୀତଗୋବିନ୍ଦ ଅଷ୍ଟପଦୀ ଚନ୍ଦନ ଚର୍ଚ୍ଚିତ ନୀଳ କଳେବର ଉପସ୍ଥାପିତ ହୋଇଥିଲା। ଏହାପରେ ନାଟ୍ୟଶାସ୍ତ୍ର ଆଧାରିତ ଋୁତୁଚକ୍ରକୁ ନେଇ ମଞ୍ଚସ୍ଥ ହୋଇଥିଲା ଋ଼ତୁ ଦୁରୁଭା। ରାଗମାଳିକା ରାଗ ଓ ଆଦି ତାଳରେ ନିବଦ୍ଧ ଏହି ସଂରଚନା ଋତୁ ଓ ପ୍ରକୃତିର ଅଭିସାରକୁ ସ୍ପଷ୍ଟ ଭାବେ ଚିତ୍ରିତ କରିଥିଲା। ମୋହିନୀଆଟ୍ଟମ୍‌ର ଅନ୍ତିମ ଉପସ୍ଥାପନାରେ ରହିଥିଲା ଆନନ୍ଦଦାୟୀ ନୃତ୍ୟ ସଂଯୋଜନା ଜୀବ।

କୋଣାର୍କ ଉତ୍ସବ: ମଣିପୁରୀ ଓ ଓଡିଶୀରେ ଝଂକୃତ ହେଲା ଚତୁର୍ଥ

କୋଣାର୍କ: ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଏଠାରେ ଚାଲିଥିବା କୋଣାର୍କ ଉତ୍ସବ ସୋମବାର ଚତୁର୍ଥ ସନ୍ଧ୍ୟାରେ ପହଞ୍ଚିଥିବା ବେଳେ ରଙ୍ଗିନ ଆଲୋକମାଳାରେ ସଜ୍ଜିତ କୋଣାର୍କ ମୁକ୍ତାକାଶ ମଞ୍ଚ ନୂଆ ବୋହୂଟିଏ ପରି ପ୍ରତୀୟମାନ ହୋଇଥିଲା। ଏହି ସନ୍ଧ୍ୟାରେ ଶାସ୍ତ୍ରୀୟ ମଣିପୁରୀ ଓ ଓଡିଶୀ ଶିଳ୍ପୀଗଣ ମଞ୍ଚକୁ ଅଳକାପୁରୀର ଚିତ୍ରରେ ଚିତ୍ରିତ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ମଣିପୁରୀ ନର୍ତ୍ତନାଳୟ, କୋଲକତାର ଶିଳ୍ପୀ ବିମ୍ବାବତୀ ଦେବୀ ମଣିପୁରୀ ନୃତ୍ୟର ଆଦ୍ୟ ସ୍ତବକ ବା ରସରାଜ କୃଷ୍ଣଙ୍କ ମଧୁର ନର୍ତ୍ତନ ଆଧାରିତ ମଣିପୁରୀ ନୃତ୍ୟ କଥୋକଚବା ପରିବେଷଣ କରିଥିଲେ। ଏହାପରେ ନୃତ୍ୟ ବସନ୍ତର ମଞ୍ଚାୟନ ହୋଇଥିଲା। ଏଥିରେ ୠତୁରାଜ ବସନ୍ତଙ୍କ ଶୋଭାକୁ ଶିଳ୍ପୀଗଣ ବଖାଣିଥିଲେ। ପରେ କବିରାଜ ଜୟଦେବଙ୍କ ଶ୍ରୀଗୀତଗୋବିନ୍ଦ ଆଧାରରେ ଅନ୍ତିମ ପରିବେଷଣ ଥିଲା ମଣିପୁରୀ ରଥଯାତ୍ରା ଆଧାରିତ ଭଗବାନ କୃଷ୍ଣଙ୍କ ଗୋକୁଳରୁ ବୃନ୍ଦାବନକୁ ଯାତ୍ରାର ଅବତାରଣା ‘ଜୟ ଜୟ ଦେବ ହରେ’।

କୋଣାର୍କ ଉତ୍ସବ: ମନ ମୋହିଲା ଓଡ଼ିଶୀ ଓ କୁଚିପୁଡି ନୃତ୍ୟ

ଓଡିଶା ସରକାର ପର୍ଯ୍ୟଟନ ବିଭାଗ ଆୟୋଜିତ ବିଶ୍ୱ ବିଖ୍ୟାତ କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟାରେ ମୁକ୍ତାକାଶ ମଞ୍ଚକୁ ନୃତ୍ୟମୁଖର କରିଥିଲା ଓଡ଼ିଶୀ ଓ କୁଚିପୁଡି ନୃତ୍ୟପରିବେଷଣ। ବର୍ଣ୍ଣାଢ୍ୟ ଆଲୋକମାଳାରେ ସଜେଇ ହୋଇଥିବା ମୁକ୍ତାକାଶ ମଞ୍ଚର ପରିବେଶକୁ ସଂଗୀତ ଓ ନୃତ୍ୟର ମଧୁର ଝଙ୍କାରରେ ଭରିଦେଇଥିଲେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ। ଆାଦ୍ୟ ଚରଣରେ ଓଡ଼ିଶୀ ନୃତ୍ୟର ପରିପାଟୀରେ ମଞ୍ଚ ପ୍ରବେଶ କରିଥିଲେ ସୂତ୍ର ଫାଉଣ୍ଡେସନ୍ ମାଲୟେସିଆର ଶିଳ୍ପୀଗଣ। ଗୁରୁ ରାମ୍ଲି ଇବ୍ରାହିମ୍ ଓ ସାଥିମାନଙ୍କ ପ୍ରଥମ ନିବେଦନ ଥିଲା ଗଜାନନ ସ୍ତୁତି ଓ ଲକ୍ଷ୍ମୀ ନୃସିଂହ ଧ୍ୟାନ। ଗଂଜାମର ପ୍ରସିଦ୍ଧ ପ୍ରହଲ୍ଲାଦ ନାଟକକୁ ଆଧାର କରି ଏହା ପ୍ରସ୍ତୁତ ହୋଇଥିଲା ଯାହା ଶବ୍ଦସ୍ବର ପାଟର ସଂଯୋଜନାକୁ ସ୍ପଷ୍ଟ କରିଥିଲା। ପରେ ପରେ ସୂତ୍ର ଫାଉଣ୍ଡେସନର ଶିଳ୍ପୀଗଣ ମଞ୍ଚସ୍ତ କରିଥିଲେ ସ୍ଥାୟୀ ଯାହା ଗଂଜାମ ଜିଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟସଖୀନାଟକୁ ନେଇ ପରିପୁଷ୍ଟ ହୋଇଥିଲା। ସଖିନାଟର ଲକ୍ଷଣ, ଆଙ୍ଗିକ ବିନ୍ୟାସ ଓ ପରିପାଟୀର ସମନ୍ବୟରେ ସ୍ଥାୟୀ ନୃତ୍ୟର ପରିବେଷଣ ବେଶ ମନଛୁଆଁ ହୋଇଥିଲା। ଏହାପରେ ରାମ ଭଜନର ନୃତ୍ୟାଭିନୟ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଲୋକକଳା ଶିଳ୍ପୀ ଦାସକାଠିଆର ଲୋକପ୍ରିୟ ଗାୟକ ବୈଦ୍ୟନାଥ ରଥଶର୍ମାଙ୍କ ରଚିତ ରାମରସ ଗୀତିକାର ନୃତ୍ୟାୟନଙ୍କୁ ପରଶି ଦେଇଥିଲେ ଶିଳ୍ପୀ। ଓଡ଼ିଶୀ ନୃତ୍ୟର ଅନ୍ତିମ ଉପସ୍ଥାପନ ଯୋଗିନୀ ମୋକ୍ଷ। ନଟରାଜ ଶିବଙ୍କ ଯୋଗ ଓ ସମାଧି ଆବସ୍ଥାରୁ ସୃଷ୍ଟି ହୋଇଥିବା ଯୋଗିନୀଗଣଙ୍କ ଆରାଧନା ଓ ଶକ୍ତି ଉପାସନାର ତତ୍ତ୍ବକୁ ପ୍ରକାଶ କରିଥିଲେ ସୂତ୍ର ଫାଉଣ୍ଡେସନର ଶିଳ୍ପୀଗଣ।

ଆସୁଛନ୍ତି ମା’: ଷୋଡ଼ଶ ପୂଜାରେ କମ୍ପୁଛି ଦେବୀପୀଠ

ନଦୀପଠାରେ ଏବେ କାଶତଣ୍ଡିର ସମ୍ଭାର। ଆକାଶରେ ଭସାମେଘ। ବିଲମାଳ ନେସି ହୋଇଛି ସବୁଜିମାରେ। ପ୍ରକୃତି ବଦଳାଇଛି ପଣତ। ଆସୁଛନ୍ତି ମା’। କାକଟପୁରର ପ୍ରସିଦ୍ଧ ଦେବୀପୀଠ ମା’ ମଙ୍ଗଳାଙ୍କ ପୀଠରେ ଶୁଭିଲାଣି ଘଣ୍ଟଘଣ୍ଟା ଆଳତି ଓ ମନ୍ତ୍ର ଉଚ୍ଚାରଣର ସ୍ବର। ମୁଖରିତ ହେଉଛି ଚର୍ଚ୍ଚିକା ପୀଠ। ମହାନଦୀର ରେଣୁକା ଘାଟରୁ କଳସୀରେ ପବିତ୍ର ଜଳ ସଂଗ୍ରହପୂର୍ବକ ସଂସ୍ଥାପିତ ହୋଇଛି ଘଟ। ବାଣପୁରର ଭଗବତୀ, ଯାଜପୁରର ବିରଜା, ଖିଚିଂର କିଚକେଶ୍ବରୀ, ପାଟଣାଗଡ଼ର ପାଟଣେଶ୍ବରୀ, କଳାହାଣ୍ଡିର ମାଣିକେଶ୍ବରୀ ଓ ସମ୍ବଲପୁରର ସମଲେଶ୍ବରୀ ପୀଠରେ ଦ୍ବିତୀବାହନ ଓଷା ଦିନ ଆରମ୍ଭ ହୋଇଛି ୧୬ ଦିନ ପୂଜାର ବିଧାନ। ଦେବୀପୀଠ ଗୁଡ଼ିକରେ ସ୍ବତନ୍ତ୍ର ନୀତିକାନ୍ତିରେ ଚାଲିଛି ପୂଜାର୍ଚ୍ଚନା। ବାଦ୍‌ ପଡ଼ିନାହିଁ ମଣ୍ଡପ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?